ଲେହ-ଲଦାଖ୍ ଅଭିମୁଖେ ଦୁଃସାହସିକ ମୋଟର-ସାଇକେଲ ଯାତ୍ରା

ଗୋପ(ଜୟନ୍ତ କୁମାର ସେଠୀ): କେବଳ ଗାଁ କି ସହର ନୁହେଁ, ପାହାଡ଼ ପର୍ବତ ଶିଖର ଠାରୁ ସମୁଦ୍ର ପର୍ୟ୍ୟନ୍ତ କୁଢ଼ କୁଢ଼ ବର୍ଜ୍ୟବସ୍ତୁ । ଏସବୁ ଏବେ ସମଗ୍ର ଭାରତବର୍ଷର ଜଳବାୟୁ ଓ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି । ତେବେ ଏହି ଦିଗରେ ସଚେତନତା ସୃଷ୍ଟି ସହ ତମ୍ବାଖୁ ମୁକ୍ତ ଓଡ଼ିଶା ପାଇଁ ୨୦୧୪ ମସିହାରୁ ଓଡ଼ିଶା ଓ ଭାରତବର୍ଷକୁ ମୋଟର-ସାଇକେଲରେ ବୁଲି ସଚେତନତା ସୃଷ୍ଟି କରାଯାଉଛି । ମିଶନ ଓଡ଼ିଶାର ସମ୍ପାଦକ ତଥା ଇଣ୍ଡିଆ ବୁକ ରେକର୍ଡ, ୱାର୍ଲଡ଼ ରେକର୍ଡ ଇଣ୍ଡିଆ ଓ ମିରାକିଲ ୱାର୍ଲଡ଼ ରେକର୍ଡ ହାସଲ କରିଥିବା ମଧୁସୂଦନ ମିଶ୍ର ଓ ବିଶିଷ୍ଟ ପର୍ବତ ଆରୋହି ତଥା ବିଶିଷ୍ଟ ସାଇକେଲ ଚଢ଼ାଳି ମିତ୍ରଭାନୁ ନାୟକ ଏପରି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଜି ସକାଳ ସାଢ଼େ ୮ଟା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ପୁରୀରୁ ଲେହ-ଲଦାଖ୍ ଅଭିମୁଖେ ଆରମ୍ଭ କରିଛନ୍ତି ଦୁଃସାହସିକ ମୋଟର-ସାଇକେଲ ଯାତ୍ରା। ଏହି ଦୁଇ ଜଣ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ବିହାର, ଉତ୍ତର ପ୍ରଦେଶ, ନୂଆଦିଲ୍ଲୀ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଭଳି ପ୍ରଦେଶରେ ମୋଟର ସାଇକେଲ ଯାତ୍ରା କରିଛନ୍ତି । ଏଥିସହ ଭାରତବର୍ଷର ସୁଉଚ୍ଚ ଲେହ, ଲଦାଖ୍, କାରଗିଲ ଓ ଡ୍ରାସ୍ ସେକ୍ଟରରେ ସଚେତନତା ସୃଷ୍ଟି କରିବା ସହ ୨୦ଦିନରେ ୬ହଜାର କିଲୋମିଟର ଯାତ୍ରା କରି ଆସନ୍ତା ସେପ୍ଟେମ୍ବର ୧୫ତାରିଖ ଦିନ ପୁରୀ ଫେରିବେ । ଏହି ସମୟରେ ସେମାନେ ହଜାରିବାଗ୍, ବାରାଣସୀ, ମଥୁରା, ହରିଦ୍ୱାର, ଝାନସୀ ଓ ଅଯୋଧ୍ୟା ଭଳି ଐତିହାସିକ ସ୍ଥାନ ମାନଙ୍କରେ ସଚେତନତା ସୃଷ୍ଟି କରିବା ସହ ନମାମୀ ଗଙ୍ଗେ ସ୍ୱଚ୍ଛତା କାର୍ୟ୍ୟକ୍ରମରେ ଯୋଗ ଦେବେ । କେବଳ ବର୍ଜ୍ୟବସ୍ତୁ ସୁପରିଚାଳନା କିମ୍ବା ପରିବେଶ ସୁରକ୍ଷା କାର୍ୟ୍ୟକ୍ରମ ନୁହେଁ, ତମ୍ବାକୁ ମୁକ୍ତ ଭାରତ ଓ ଦେଶାତ୍ମକବୋଧ ଚେତନା ସୃଷ୍ଟି କରିବା ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ହେବ ବୋଲି କହିଛନ୍ତି ମିଶନ ଓଡ଼ିଶାର ସମ୍ପାଦକ ମଧୁସୂଦନ ମିଶ୍ର । ଏବେ ଭାରତରେ ପ୍ରାୟ ୬୨କୋଟି ଟନ ବର୍ଜ୍ୟବସ୍ତୁ ଯାହା ୨୦୩୦ ମସିହା ବେଳକୁ ପ୍ରାୟ ୧୬୫କୋଟି ଟନ ସ୍ପର୍ଶ କରିବ। ଭାରତବର୍ଷରେ ଏକ ସୁସ୍ଥ ପରିବେଶ ଓ ଏକ ନିର୍ମଳ ଜଳବାୟୁ ପାଇଁ ଏହି ଦୁଃସାହସିକ ଯାତ୍ରା ବୋଲି କହିଛନ୍ତି ବିଶିଷ୍ଟ ପରିବେଶବିତ ମିତ୍ରଭାନୁ ନାୟକ।