ଭୁବନେଶ୍ବର : ଆଉ ମନଇଚ୍ଛା କାଟି ପାରିବେନି ତାଳଗଛ। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପକ୍ଷରୁ ସୋମବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରାଜ୍ୟରେ ତାଳଗଛ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଗତ କିଛି ବର୍ଷ ହେଲା, ଉଭୟ ଜଙ୍ଗଲ ଓ ଅଣଜଙ୍ଗଲ ଅଞ୍ଚଳରୁ ଆଖିବୁଜା ତାଳଗଛ କଟାଯାଉଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏଥିରେ ରୋକ୍ ନ ଲାଗିଲେ, ଆଗାମୀ ଦିନରେ ଓଡ଼ିଶା ତାଳଗଛଶୂନ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ବଜ୍ରପାତଜନିତ ଧନଜୀବନ କ୍ଷୟକ୍ଷତି ଟାଳିବାରେ ତାଳଗଛର ଏକ ପ୍ରମୁଖ ଭୂମିକା ରହିଛି। ବିଜୁଳି ମାରିବା ପରେ ଉଚ୍ଚତାଥିବା ଜିନିଷ ଅଧିକ ପ୍ରଭାବିତ ହୋଇଥାଏ। ଯେହେତୁ ତାଳ ଗଛ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଯାଇଥାଏ। ତେଣୁ ଏହି ଗଛ ବିଜୁଳିକୁ ନିଜ ଆଡ଼କୁ ବିଜୁଳିକୁ ଟାଣି ଲୋକଙ୍କୁ ସୁରକ୍ଷା ଦେଇଥାଏ। କିନ୍ତୁ କିଛି ବର୍ଷ ହେବ ରାଜ୍ୟରେ ଅବାଧ ତାଳ ଗଛ କଟା ଯାଉଥିବାରୁ ବର୍ତ୍ତମାନ ପରିସ୍ଥିତିରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନଜରରେ ରଖି ବନବିଭାଗ ପକ୍ଷରୁ ତାଳ ଗଛ କଟା ଉପରେ କଟକଣା ଲଗାଯାଇଛି। ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି ଏଣିକି ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ ।
ସେହିପରି ରାଜ୍ୟରେ ଏ ବର୍ଷ ୧୯ ଲକ୍ଷ ତାଳ ଗଛ ବନବିଭାଗ ପକ୍ଷରୁ ଲଗାଯିବ। ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ପିସିସିଏଫ କହିଛନ୍ତି।