ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏ ବାଟିଆ ଜମି କେଳେଙ୍କାରୀ ମାମଲାରେ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇଙ୍କ ସମେତ ଜଣେ ଜମି ଦଲାଲକୁ ଗିରଫ କରିଛି ପୋଲିସ୍ । ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ଭଗବାନପୁର ନିକଟସ୍ଥ ସାନ ଷାଠିଏ ବାଟିଆରେ ଏକ ଜଳାଶୟକୁ ଶାରଦ କିସମକୁ ପରିବର୍ତ୍ତନ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଭୂ-ଲେଖ ଓ୍ବେବସାଇଟରେ ମଧ୍ୟ ଚଞ୍ଚକତା କରି ଅପଲୋଡ କରି ଦିଆଯାଇଥିଲା । ଜମି ବିକ୍ରି କରି ପ୍ରାୟ ୨ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାରେ ତଦନ୍ତ କରି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ନରେନ୍ଦ୍ର ବେହେରାଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପୂର୍ବରୁ ମଧ୍ୟ ଅତିରିକ୍ତ ତହସିଲଦାରଙ୍କ ନାଁରେ ଅଭିଯୋଗ ଥିଲା । ଏକ ପଥର ଟ୍ରକରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇ ।