ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି

କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଓଡି଼ଶା ହାଇକୋର୍ଟଙ୍କ ପକ୍ଷରୁ ନିମ୍ନ ଅଦାଲତର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତା ଦେଶ ଜାରି କରିଛନ୍ତି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଉପରେ ଅଙ୍କୁଶ ଲଗାଇଛନ୍ତି। ସୂଚନା ଅନୁସାରେ ଗତ ବର୍ଷ ଜୁଲାଇ ମାସରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡି ହୋଇ ପ୍ରାଣ ହରାଇଥିଲେ। ସମ୍ପୃକ୍ତ ଘଟଣା ପାଇଁ ସୌମ୍ୟଙ୍କ ପରିବାର ପକ୍ଷରୁ ପତ୍ନୀ ବିଦ୍ୟାଭାରତୀକୁ ଦାୟୀ କରାଯାଇଥିଲା। ସମ୍ପୃକ୍ତ ଘଟଣାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ୯୦ ପ୍ରତିଶତ ପୋଡିଯାଇଥିବା ସୌମ୍ୟରଞ୍ଜନଙ୍କୁ ପତ୍ନୀ ବିଦ୍ୟାଭାରତୀ ହସ୍ପିଟାଲ ନେବାରେ ଅବହେଳା କରିଥିଲେ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ବିଦ୍ୟାଭାରତୀଙ୍କୁ ଦାୟୀ କରି ଆଇପିସିର ଧାରା ୩୦୪ (ଏ), ଓ ୨୮୫ରେ ଚାର୍ଜସିଟ ଦାଖଲ କରିଥିଲା। ତେବେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଦୈନିକ ଶୁଣାଣିରେ ନିଜେ ହାଜର ନହୋଇ ଓକିଲଙ୍କ ଜରିଆରେ ହାଜର ହେବାକୁ ବିଦ୍ୟାଭାରତୀ ଆବେଦନ କରିଥିଲେ। ପାରଳାଖେଣୁଣ୍ଡି ଏସଡିଜେଏମ କୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ବିଦ୍ୟାଙ୍କ ଆବେଦନକୁ ଗ୍ରହଣ କରିବା ସହ ପାରଳାଖେମୁଣ୍ଡି ଏସଡିଜେଏମଙ୍କ ଶୁଣାଣି ଉପରେ ରହିତାଦେଶ ଜାରି କରିଛନ୍ତି। ବିଦ୍ୟାଙ୍କ ଆବେଦନର ନକଲ ସୌମ୍ୟଙ୍କ ଓକିଲକୁ ଦେବା ଲାଗି ନିର୍ଦ୍ଦେଶ ଦେବା ସହ ଆସନ୍ତା ୨୮ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।