ବିନା ଟ୍ୟାଗରେ ରାସ୍ତାକୁ ବାହାରି ପାରିବେନି ପୋଷା କୁକୁର

ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତା କଡ଼ରେ ମଳତ୍ୟାଗ କରିପାରିବେନି ପୋଷା କୁକୁର । ଏପରି ହେଲେ ମାଲିକଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ୟ୍ୟାନୁଷ୍ଠାନ । ରାଜଧାନୀରେ ପୋଷା କୁକୁରଙ୍କୁ ନେଇ ନିୟମ ଲାଗୁ କରିବ ବିଏମସି । ଏନେଇ ଭୁବନେଶ୍ୱର ମହାନଗର ନିଗମ କାର୍ୟ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପୋଷା କୁକୁରଙ୍କୁ କିଭଳି ରଖା ଯିବ, ପଞ୍ଜୀକରଣ କରାଯିବ ଏନେଇ ବିସ୍ତୁତ ନିୟମ ଆସିବ। ପଞ୍ଜିକରଣ ବାବଦ ଦେୟ ୫ ଶହ ଟଙ୍କା ରଖାଯାଇଛି । ମୁନିସିପାଲିଟି କର୍ପୋରେସନ ଆକ୍ଟ ୪୦୯-ବି ଏବଂ ୫୪୪- ବି ଅନୁଯାଇ କୌଣସି ବ୍ୟକ୍ତି କୁକୁର ପାଳିଲେ ମାନିବାକୁ ହେବ ନିୟମ, ନିର୍ଦ୍ଦେଶନାମା ନମାନିଲେ ଆବଶ୍ୟକ ସ୍ଥଳେ ୧୦ ହଜାର ପର୍ୟ୍ୟନ୍ତ ଜରିମାନା ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା କର୍ପୋରେସନ ରେ ଆଗତ ହେବ ଡଟ ରୁଲ । କୁକୁରଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି । ଏହା ସହ କୁକୁର ମାଲିକ ଚାହିଁଲେ ଦୁଇରୁ ଅଧିକ କୁକୁର ରଖିପାରିବେ । କୁକୁର ଟ୍ୟାଗ ସଂପର୍କରେ ମାର୍ଗଦର୍ଶିକାରେ ରହିବ
ବିନା ଟ୍ୟାଗରେ କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ ମାଲିକ । ଏହାଛଡ଼ା ଭୁବନେଶ୍ୱରରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣକୁ ତ୍ୱରାନିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଦିନକୁ ୧୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ମଞ୍ଚେଶ୍ୱରରେ ଆଉ ଏକ ପଶୁ ଡାକ୍ତରଖାନା ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଛନ୍ତିା ଏନେଇ କର୍ପୋରେସନ ବୈଠକରେ ଚିଠା ବାଇ ଲ’-୨୦୨୩ ପାରିତ ହେବ।ବିଏମ୍ସିରେ ଚିଠା ପ୍ରସ୍ତାବକୁ କର୍ପୋରେଟରଙ୍କ ସହ ଆଲୋଚନା କରାଯାଇଛିା