ବ୍ରହ୍ମପୁର : ଚିନ୍ତା ବଢ଼ାଉଛି ଡିପଥେରିଆ । ପୂର୍ବରୁ ଏଥିରେ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଏବେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଅଞ୍ଚଳର ଏହି ବାଳକ ଜଣଙ୍କ ୧୬ ତାରିଖରେ ଏମ୍କେସିଜିର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲା। ତାଙ୍କୁ ସଂଘରୋଧ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ଶିଶୁ ବିଭାଗର ଏଚ୍ଡିୟୁ (ହାଇ ଡିପେଡେନ୍ସି ୟୁନିଟ୍)କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ୧୩ ତାରିଖରେ ରାୟଗଡାର ଜଣେ ୧୨ ବର୍ଷୀୟ ଶିଶୁକନ୍ୟାର ଏମ୍କେସିଜିରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଏମ୍କେସିଜିରେ ଡିପ୍ଥେରିଆରେ ଆକ୍ରାନ୍ତ ଏହି ୨ ଜିଲ୍ଳାର ଅନ୍ୟ ୩ ଜଣ ଶିଶୁଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ରହିଛି ।