(ଅନସ୍ୱୟା)ଭୁବନେଶ୍ୱର: କଥାରେ ଅଛି ରକ୍ତ ଦାନ ମହତ ଦାନ । ସେହିପରି କିଛି ଲୋକ ଅଙ୍ଗ ଦାନ କରି ଜୀବନ ସାର୍ଥକ କରିବାକୁ ଚାହୁଁଛନ୍ତି । ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ। ପ୍ରତିବର୍ଷ ଏହିଅବସରରେ ସ୍ୱାସ୍ଥ୍ୟ ପାଇଁ ସଚେତନତା କରାଯାଉଛି। ଜଣେ ଜୀବିତି ବ୍ୟକ୍ତିର ଯକୃତ ଦୁଇ ଜଣ ବ୍ୟକ୍ତିଙ୍କ ପାଖରେ ପ୍ରତିରୋପଣ କରାଯାଇପାରିବ। କେବଳ ଭାରତରେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କର ଶରୀରର ଅଙ୍ଗ ଖରାପ କାରଣରୁ ମୃତ୍ୟୁ ହୋଇଥାଏ। ଶରୀରରେ ଏପରି କେତେକ ଅଙ୍ଗ ରହିଛି, ଯାହା ମୃତ୍ୟୁ ପରେ ମଧ୍ୟ ଦାନ କରାଯାଇପାରିବ। ଦାନ କରାଯାଇଥିବା ଅଙ୍ଗ କାହାର ଜୀବନ ମଧ୍ୟ ପରିବର୍ତ୍ତନ କରିପାରେ।
ଆମ ଶରୀରରେ ଥିବା ଯକୃତ, ପାନକ୍ରିଆଜ, ହୃତପିଣ୍ଡ ଏବଂ ଫୁସଫୁସ ଆଦି ଆପଣ ଦାନ କରିପାରିବେ। ସେହିଭଳି ଟିସୁ ଭିତରେ ଆଖି, ତ୍ୱଚା ହାଡ, ଅସ୍ଥିମଜ୍ଜା, ମସ୍ତିଷ୍କ, କାନ ପରଦା, କାନ ହାଡ, ରକ୍ତ ଇତ୍ୟାଦି ଦାନ କରିପାରିବେ।
କୌଣସି ଅଙ୍ଗକୁ ଦାନ କରିବା ପରେ ୬ ରୁ ୧୨ ଘଣ୍ଟା ମଧ୍ୟରେ ପ୍ରତ୍ୟାରୋପଣ କରିବା ଉଚିତ। ଯେତେ ଜଲଦି ଅଙ୍ଗ ପ୍ରତ୍ୟାରୋପଣ ହେବ, ସେହି ଅଙ୍ଗ କାର୍ୟ୍ୟକ୍ଷମ କରିବାର ସମ୍ଭାବନା ସେତିକି ଅଧିକ ରହିବ। ଯକୃତ ୬ ଘଣ୍ଟା ଏବଂ ବୃକକ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରାଯିବା ଉଚିତ। ସେହିଭଳି ଆଖି ୩ ଦିନ ମଧ୍ୟରେ ପ୍ରତ୍ୟାରୋପଣ ହୋଇଯିବା ଆବଶ୍ୟକ। ଅଙ୍ଗଦାନ କରିବା ପାଇଁ କୌଣସି ବୟସ ସୀମା ନଥାଏ। ୧୮ ବର୍ଷ ବୟସରୁ କମ୍ ବ୍ୟକ୍ତିମାନେ ଅଙ୍ଗଦାନ ପାଇଁ ନିଜ ମାତାପିତାଙ୍କ ଠାରୁ ଅନୁମତି ଆଣିବା ନିତାନ୍ତ ଜରୁରୀ।
ଅଙ୍ଗଦାନ କରିବାର ଦୁଇଟି ଉପାୟ ରହିଛି । କେତେକ ଏନଜିଓ ଏବଂ ହସିପିଟାଲ ଯାଇ ଅଙ୍ଗଦାନ କରିବା ପାଇଁ ଫର୍ମ ପୂରଣ କରି ମରିବା ପରେ ଆପଣ ଅଙ୍ଗଦାନ କରିପାରିବେ। ଯେଉଁ ଅଙ୍ଗ ଆପଣ ଦାନ କରିବାକୁ ଚାହୁଁଚନ୍ତି, ସେହି ଅଙ୍ଗକୁ ଆପଣ ଦାନ କରିପାରିବେ। ଅଙ୍ଗ ଦାନ କରୁଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଆବଶ୍ୟକ।
ଭାରତୀୟ ଆଇନରେ ଏହା ଯଥାର୍ଥ। ଭାରତ ସରକାରଙ୍କ ପକ୍ଷରୁ ମାନବ ଅଙ୍ଗ ଅଧିନିୟମ (ଟିଏଚଓଏ) ୧୯୯୪ ଅନ୍ତର୍ଗତ ପ୍ରତ୍ୟାରୋପଣକୁ ମଞ୍ଜୁରୀ ଦେଇଛନ୍ତି। ଯାହା ଅଙ୍ଗ ଦାନ କରିବାର ଅନୁମତିକୁ ବୈଧ ମାନିଥାଏ।
ଅଙ୍ଗଦାନ ଏକ ମହତ କାମ । ଅଙ୍ଗଦାନ କରିବା ଆପଣଙ୍କ ଚିନ୍ତାଧାରା ଉପରେ ନିର୍ଭର କରିଥାଏ। ଯଦି ଆପଣ ଅନ୍ୟ କାହାକୁ ଜୀବନ ଦାନ କରିବା ପାଇଁ ଚାହୁଁଚନ୍ତି ତେବେ ଅଙ୍ଗଦାନ କରି ନିଜର ଇଚ୍ଛାକୁ ପୂରଣ କରିପାରିବେ। ତେଣୁ ସମସ୍ତେ ଅଙ୍ଗଦାନ କରିବା ଉଚିତ ।