(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ସ୍ୱାର୍ଥପର ଏହି ଦୁନିଆରେ ମଣିଷ ନିଜର ସ୍ୱାର୍ଥ ସାଧନରେ ବ୍ୟସ୍ତ । ନିଜର ଲାଭ ପାଇଁ ସେ କୌଣସି ବି ସ୍ତରକୁ ଖସିଯାଉଛି । ଏମିତି ସମୟରେ ନୋଏଡାର ରାମବୀର ତନୱର ବ୍ୟତୀକ୍ରମ । ସେ ସମାଜର ସ୍ୱାର୍ଥ ପାଇଁ ନିଜ ସ୍ୱାର୍ଥକୁ ପଛରେ ପକାଇ ଦେଇଛନ୍ତି । ରାମବୀର ନୋଏଡାରେ ଏକ ଏମଏନସିରେ ଚାକିରି କରୁଥିଲେ । ମୋଟା ଅଙ୍କର ଦରମା ମଧ୍ୟ ପାଉଥିଲେ । କିନ୍ତୁ ଗ୍ରାମବାସୀଙ୍କ ଜଳ କଷ୍ଟରେ ରାମବୀରଙ୍କ ହୃଦୟ କାନ୍ଦି ଉଠିଥିଲା । ସେ ଉକ୍ତ ଚାକିରି ଛାଡି ଦେଇଥିଲେ ଲୋକଙ୍କ ସ୍ୱାର୍ଥ ପାଇଁ ।
ରାମବୀର ୨୦୧୬ରେ ତାଙ୍କ ଏମ ଟେକ ପଢା ଶେଷ କରି ଏକ କମ୍ପାନୀରେ ଯୋଗ ଦେଇଥିଲେ । କିନ୍ତୁ ଗାଁ ଲୋକ ଗୋଟିଏ ପଟେ ପାଣି ପାଇଁ ହଇରାଣ ହୋଇଥିବା ବେଳେ ହଜାର ହଜାର ଲିଟର ପାଣି ନଷ୍ଟ କରିଥାନ୍ତି । ଏସବୁକୁ ନେଇ ସେ ଲୋକଙ୍କୁ ସଚେତନ କରିବାକୁ ଆରମ୍ଭ କରିଥିଲେ । ତଥାପି ଲୋକେ ତାଙ୍କ କଥାକୁ ସଠିକ ଭାବେ ଗ୍ରହଣ କରୁ ନ ଥିଲେ । ଏହାପରେ ସେ ତାଙ୍କ ଚାକିରି ଛାଡି ଗାଁରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ୧୦ଟି ପୋକରୀକୁ ସଫା କରିବା ସହ ସେସବୁକୁ ବ୍ୟବହାର ଉପଯୋଗୀ କରିଥିଲେ । ଏଥିସହ ସେ ଲୋକଙ୍କୁ ପାଣିର ସଦୁପଯୋଗ ଉପରେ ବୁଝାଇବା ଅଭିଯାନକୁ ଆହୁରି ଜୋରଦାର କଲେ । ଗତ ୫ ବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ୧୦ଟି ପୋଖରୀ ସଫା ହେବ ସହ ସେହିସବୁ ବ୍ୟବହାର ଉପଯୋଗୀ ହୋଇଛି । ତାଙ୍କ ଏପରି ନିସ୍ୱାର୍ଥପର କାମକୁ ନେଇ ଲୋକେ ତାଙ୍କୁ ସମ୍ମାନ ଦେବା ସହ ପାଣିର ସଦୁପଯୋଗ ମଧ୍ୟ ଶିଖିଛନ୍ତି । ଏବେ ରାମବୀର ଜଣେ ସୂଚନା ଅଧିକାର କର୍ମକର୍ତ୍ତା ଭାବେ କାମ କରୁଛନ୍ତି ।