(ସରୋଜ ରାଉତ/ନୂଆଦିଲ୍ଲୀ): ଆଜିକାଲି ସହରାଞ୍ଚଳରେ ମୋବାଇଲ ଏକ ନିତ୍ୟାବଶ୍ୟକୀୟ ସାମଗ୍ରୀରେ ପରିଣତ ହୋଇ ଥିବା ବେଳେ ଗ୍ରାମାଞ୍ଚଳରେ ଏହାର ବ୍ୟବହାର ମଧ୍ୟ କିଛି କମ ନାହିଁ । ଘରେ ଘରେ ଏକାଧିକ ମୋବାଇଲ ମିଳିଯିବ । ତେବେ ମୋବାଇଲ ରିଚାର୍ଜ ଏକ ବଡ ସମସ୍ୟା ହୋଇଛି ଗରିବ ଶ୍ରେଣୀ ପାଇଁ । ହେଲେ ଆପଣ ଜାଣି ନଥିଲେ, । ମୋବାଇଲ୍ ଡାଟା ଭାରତରେ ସବୁଠୁ ଶସ୍ତା ଦରରେ ଉପଲବ୍ଧ ହେଉଛି।
ଏକ ଜିବି ଡାଟାର ମୂଲ୍ୟ ୧୮ ଟଙ୍କା ୫୦ ପଇସା ଭଳି ନିମ୍ନ ସ୍ତରରେ ଭାରତରେ ଥିବା ବେଳେ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ଏହି ଦର ବହୁତ ଅଧିକ ରହିଛି। ବିଶ୍ବ ସ୍ତରରେ ଏକ ଜିବି ମୋବାଇଲ୍ ଡାଟାର ହାରାହାରି ଦର ୬୦୦ ଟଙ୍କା ରହିଛି। ମୋବାଇଲ୍ ଡାଟା ଦର ମଧ୍ୟରେ ତୁଳନାତ୍ମକ ଚିତ୍ର ପ୍ରଦାନ କରୁଥିବା କେବୁଲ୍ ଡଟ୍ କୋ ଡଟ୍ ୟୁକେ ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହି ଚିତ୍ର ପ୍ରଦାନ କରାଯାଇଛି। ବିଶ୍ବର ୨୩୦ଟି ଦେଶର ମୋବାଇଲ୍ ଡାଟା ଦରକୁ ବିଚାରକୁ ନେଇ ଏହି ରିପୋର୍ଟ ତିଆରି କରାଯାଇଛି। ବ୍ରିଟେନ୍ରେ ୧ ଜିବି ମୋବାଇଲ୍ ଡାଟା ମୂଲ୍ୟ ୪୬୮ ଟଙ୍କା ହୋଇଥିବା ବେଳେ ଆମେରିକାରେ ୮୬୯ ଟଙ୍କା ରହିଛି।
ଏହି ରିପୋର୍ଟରେ ଭାରତକୁ ଜୀବନ୍ତ ସ୍ମାର୍ଟଫୋନ୍ ଦେଶ ଭାବେ ଅଭିହିତ କରାଯାଇଛି। ଭାରତରେ ୪୩ କୋଟିରୁ ଅଧିକ ସ୍ମାର୍ଟଫୋନ୍ ରହିଛି। ଚୀନ୍ ପରେ ଭାରତ ହେଉଛି ବିଶ୍ବର ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ବଜାର। ଯେଉଁ ଦେଶରେ ଯୁବତଯୁବତୀଙ୍କ ସଂଖ୍ୟା ଅଧିକ ସେଠାରେ ପ୍ରଯୁକ୍ତିକୁ ନେଇ ସଚେତନତାର ମାତ୍ରା ଅଧିକ ରହିଥିବା ରିପୋର୍ଟରେ କୁହାଯାଇଛି।