ମୋଟା ଦରମା, ଆଇଆଇଟି ଡିଗ୍ରୀ ବି ଫେଲ୍ ! କ୍ୱାଲକମ୍ ଛଟେଇରେ ଚାକିରି ହରାଇଲେ ଯୁବ ଇଞ୍ଜିନିୟର

ଟେକ୍ ଇଣ୍ଡଷ୍ଟ୍ରିରେ ପୁଣି ଛଟେଇ ଝଡ଼। ଯେଉଁ ଚାକିରି ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିଥିଲେ, ଯେଉଁ ଡିଗ୍ରୀ ପାଇଁ ଦିନରାତି ଏକ କରିଥିଲେ, ଶେଷରେ ସେହି ଚାକିରି ହିଁ ହାତଛଡ଼ା ହୋଇଛି। ଆଇଆଇଟି ହାଇଦ୍ରାବାଦରୁ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିବା ସହ ବାର୍ଷିକ ୨୬ ଲକ୍ଷରୁ ଅଧିକ ଟଙ୍କାର ପ୍ୟାକେଜ୍‌ରେ କ୍ୱାଲକମ୍‌ରେ ନିଯୁକ୍ତି ପାଇଥିବା ଜଣେ ଯୁବ ଇଞ୍ଜିନିୟର ଏବେ ଛଟେଇର ଶିକାର ହୋଇଛନ୍ତି। ଏହି ଘଟଣା ଆଇଟି ଓ ସେମିକଣ୍ଡକ୍ଟର ଶିଳ୍ପରେ ଚାକିରିର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।

ଯୁବକଙ୍କ କ୍ୟାରିୟର ଯାତ୍ରା ମଧ୍ୟ ସଂଘର୍ଷପୂର୍ଣ୍ଣ ଥିଲା। ବିଟେକ୍‌ ପରେ ଏକ ସାଧାରଣ ଚାକିରି ଛାଡ଼ି ଗେଟ୍‌ ପରୀକ୍ଷା ପାଇଁ ବର୍ଷେ ଧରି ପ୍ରସ୍ତୁତି କରିଥିଲେ। କଠିନ ପରିଶ୍ରମର ଫଳସ୍ୱରୂପ ପରୀକ୍ଷାରେ ୧୧୦୦ ରାଙ୍କ୍ ହାସଲ କରି ଆଇଆଇଟି ହାଇଦ୍ରାବାଦରେ ଏମ୍‌ଟେକ୍‌ ପଢ଼ିବାର ସୁଯୋଗ ପାଇଥିଲେ। ପରେ କ୍ୟାମ୍ପସ୍‌ ସିଲେକ୍ସନ୍‌ରେ କ୍ୱାଲକମ୍‌ ଭଳି ପ୍ରତିଷ୍ଠିତ କମ୍ପାନୀରେ ମୋଟା ଅଙ୍କର ଦରମାରେ ଚାକିରି ମିଳିଥିଲା। ହେଲେ କମ୍ପାନୀର ଛଟେଇ ନିଷ୍ପତ୍ତି ତାଙ୍କ ସବୁ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି।

ଏହି ଘଟଣା ସମ୍ପର୍କରେ ଯୁବକଙ୍କ ଜଣେ ବନ୍ଧୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ବେଶ୍ ଚର୍ଚ୍ଚାକୁ ଆସିଛି। ପୋଷ୍ଟଟି ଭାଇରାଲ୍ ହେବା ସହ ଟେକ୍ କମ୍ପାନୀଗୁଡ଼ିକରେ କର୍ମଚାରୀଙ୍କ ଭବିଷ୍ୟତ କେତେ ସୁରକ୍ଷିତ, ତାହାକୁ ନେଇ ଆଲୋଚନା ଜୋର୍ ଧରିଛି।

ସେପଟେ ଭାରତରେ କ୍ୱାଲକମ୍‌ରେ କାର୍ଯ୍ୟରତ ପ୍ରାୟ ୧୦୦୦ କର୍ମଚାରୀ ଛଟେଇ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗକୁ ଆହୁରି ଛଟେଇ ହେବାର ଆଶଙ୍କା ମଧ୍ୟ ରହିଛି। ଫଳରେ ଆଇଟି ଓ ସେମିକଣ୍ଡକ୍ଟର କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ମନରେ ଅନିଶ୍ଚିତତା ବଢ଼ିଛି। ଉଚ୍ଚ ଡିଗ୍ରୀ, ଭଲ ରାଙ୍କ୍‌ ଓ ଆକର୍ଷଣୀୟ ପ୍ୟାକେଜ୍‌ ସତ୍ତ୍ୱେ ଚାକିରିର ଗ୍ୟାରେଣ୍ଟି ନଥିବା ଏହି ଘଟଣା ପୁଣି ଥରେ ସ୍ପଷ୍ଟ କରିଛି।