ଭୁବନେଶ୍ୱର: କେହି ତାଙ୍କୁ ଡାକ୍ତର କହୁଥିଲେ, ତ ଆଉ କେହି ଦେବଦୂତ। ରୋଗୀଙ୍କ ପାଇଁ ସେ ଥିଲେ ଆଶାର ଆଲୋକ। ନିଜର ଜ୍ଞାନ, ଅଧ୍ୟବସାୟ, ଶୃଙ୍ଖଳା ଓ ସେବା ମନୋଭାବ ବଳରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଥିବା ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଆଉ ନାହାନ୍ତି। ତାଙ୍କ ବିୟୋଗ କେବଳ ଚିକିତ୍ସା ଜଗତ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି।

ଗାଁ ମାଟିରୁ ଆରମ୍ଭ ହୋଇଥିଲା ଯାତ୍ରା
୧୯୫୨ ଡିସେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଅଶୋକ ମହାପାତ୍ର। ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରି ପୁରୀର ଏସ୍ସିଏସ୍ କଲେଜରେ ବିଜ୍ଞାନ ଶିକ୍ଷା ଗ୍ରହଣ କରିଥିଲେ। ପରେ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜରୁ ୧୯୭୫ରେ ଏମ୍ବିବିଏସ୍ ଡିଗ୍ରୀ ହାସଲ କରିଥିଲେ।ଡାକ୍ତରୀ ଶିକ୍ଷାରେ ଆଗକୁ ବଢ଼ିବାର ଲକ୍ଷ୍ୟ ନେଇ ଦିଲ୍ଲୀ AIIMSରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେଠାରୁ MS ଏବଂ MCh ଇନ୍ ନ୍ୟୁରୋ ସର୍ଜରୀ ଡିଗ୍ରୀ ହାସଲ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଦୀର୍ଘ ଡାକ୍ତରୀ ଜୀବନ।
AIIMSରେ ଦୀର୍ଘ ବର୍ଷର ସେବା
୧୯୮୩ରେ ଦିଲ୍ଲୀ AIIMSର ନ୍ୟୁରୋ ସର୍ଜରୀ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ନିଜର ଦକ୍ଷତା ଓ ଗବେଷଣା ବଳରେ ପରବର୍ତ୍ତୀ ସମୟରେ ବିଭାଗୀୟ ମୁଖ୍ୟ, ନ୍ୟୁରୋ ସାଇନ୍ସ ସେଣ୍ଟରର ମୁଖ୍ୟ ଏବଂ ଡିନ୍ ରିସର୍ଚ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ପ୍ରାୟ ୪୨ ବର୍ଷ ଧରି AIIMS ସହ ତାଙ୍କର ସମ୍ପର୍କ ରହିଥିଲା। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (SGPGI)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ।
ଓଡ଼ିଶାର ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତାଙ୍କର ସବୁଠାରୁ ବଡ଼ ଅବଦାନ ହେଉଛି AIIMS ଭୁବନେଶ୍ୱରର ପ୍ରତିଷ୍ଠା। ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଏହାର ପ୍ରଥମ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ। ଶୂନରୁ ଆରମ୍ଭ କରି ଅଳ୍ପ ସମୟ ମଧ୍ୟରେ ଏହି ଅନୁଷ୍ଠାନରେ MBBS, ନର୍ସିଂ, ସ୍ନାତକୋତ୍ତର ଓ ସୁପର ସ୍ପେସାଲିଟି ଶିକ୍ଷା ବ୍ୟବସ୍ଥାର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ପରବର୍ତ୍ତୀ ସମୟରେ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଶିକ୍ଷା ‘ଓ’ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ମଧ୍ୟ ସେ ଏହି ଅନୁଷ୍ଠାନର ହେଲ୍ଥ ସାଇନ୍ସେସ୍ ବିଭାଗର ପ୍ରମୁଖ ପରାମର୍ଶଦାତା ଭାବେ ଜଡ଼ିତ ଥିଲେ।

ଜାଗା-ବଳିଆଙ୍କ ଅସ୍ତ୍ରୋପଚାର ଦେଇଥିଲା ବିଶ୍ୱସ୍ତରୀୟ ପରିଚୟ
୨୦୧୭ ମସିହା ତାଙ୍କ ଜୀବନର ଏକ ଐତିହାସିକ ଅଧ୍ୟାୟ। କନ୍ଧମାଳ ଜିଲ୍ଲାର ମୁଣ୍ଡରେ ଯୋଡ଼ି ହୋଇ ଜନ୍ମ ନେଇଥିବା ଯାଆଁଳା ଶିଶୁ ଜାଗା ଓ ବଳିଆଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ AIIMSରେ ହୋଇଥିବା ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ ଡାକ୍ତର ମହାପାତ୍ର। ୧୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ଅନେକ ବିଶେଷଜ୍ଞ ଡାକ୍ତର ସାମିଲ ହୋଇଥିଲେ। ଏହି ସଫଳତା ଭାରତୀୟ ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ହୋଇ ରହିଛି।
ଗବେଷଣା ଓ ଚିକିତ୍ସା ବିଜ୍ଞାନରେ ଅବଦାନ
କେବଳ ଅସ୍ତ୍ରୋପଚାର ନୁହେଁ, ଗବେଷଣା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଥିଲା ଅତୁଳନୀୟ। ତାଙ୍କ ନାମରେ ପ୍ରାୟ ୮୭୦ଟି ଗବେଷଣା ପତ୍ର, ୧୬ଟି ପୁସ୍ତକ ଏବଂ ୧୪୦ରୁ ଅଧିକ ପୁସ୍ତକ ଅଧ୍ୟାୟ ପ୍ରକାଶିତ ହୋଇଛି। ୨୦ରୁ ଅଧିକ ଗବେଷଣା ପ୍ରକଳ୍ପରେ ସେ କାର୍ଯ୍ୟ କରିଥିଲେ ଏବଂ ୧୨ ଜଣ ପିଏଚ୍ଡି ଗବେଷକଙ୍କୁ ମାର୍ଗଦର୍ଶନ କରିଥିଲେ। ତାଙ୍କ ଗବେଷଣା ପତ୍ରଗୁଡ଼ିକୁ ୨୬ ହଜାର ୮୦୦ରୁ ଅଧିକ ଥର ଉଦ୍ଧୃତ କରାଯାଇଛି। ଭାରତରେ ନ୍ୟୁରୋ ସର୍ଜରୀର ବିକାଶ, ଶିଶୁ ନ୍ୟୁରୋ ସର୍ଜରୀ, ନ୍ୟୁରୋ ଟ୍ରମା ଓ ପେରିଫେରାଲ୍ ନର୍ଭ ସର୍ଜରୀ କ୍ଷେତ୍ରରେ ମଧ୍ୟ ସେ ଅନେକ ଅବଦାନ ରଖିଥିଲେ। ନ୍ୟୁରୋଲୋଜିକାଲ୍ ସର୍ଜନ ସୋସାଇଟି ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିଫେରାଲ୍ ନର୍ଭ ସର୍ଜରୀ ପ୍ରତିଷ୍ଠାରେ ମଧ୍ୟ ତାଙ୍କର ଭୂମିକା ଥିଲା।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ
ଚିକିତ୍ସା ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୫ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ତାଙ୍କୁ ୭୫ରୁ ଅଧିକ ପୁରସ୍କାର ଓ ଅନେକ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିଲା।
କେମିତି ଥିଲା ତାଙ୍କ ଜୀବନଶୈଳୀ?
ଡାକ୍ତର ମହାପାତ୍ରଙ୍କ ବ୍ୟକ୍ତିତ୍ୱର ଏକ ବିଶେଷ ଦିଗ ଥିଲା ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ନମ୍ରତା। ତାଙ୍କୁ ନିକଟରୁ ଜାଣିଥିବା ସହକର୍ମୀ ଓ ଛାତ୍ରଛାତ୍ରୀମାନେ ତାଙ୍କର ସରଳ ଜୀବନଶୈଳୀ, ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ପାରମ୍ପରିକ ଭାରତୀୟ ଜ୍ଞାନ ପ୍ରତି ଆଗ୍ରହକୁ ମନେ ପକାଇଛନ୍ତି।
ସେ କେବଳ ଜଣେ ଦକ୍ଷ ସର୍ଜନ ନଥିଲେ, ବରଂ ଜଣେ ଭଲ ଶିକ୍ଷକ ଓ ମାର୍ଗଦର୍ଶକ ମଧ୍ୟ ଥିଲେ। ନୂଆ ପିଢ଼ିର ଡାକ୍ତରମାନଙ୍କୁ ଗଢ଼ିବା ଓ ଚିକିତ୍ସା ବିଜ୍ଞାନରେ ଗବେଷଣାକୁ ଆଗକୁ ନେବା ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ।
ଶେଷ ବିଦାୟ, ରହିଗଲା ଅମର କୀର୍ତ୍ତି
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଡାକ୍ତର ମହାପାତ୍ର ଚିକିତ୍ସାଧୀନ ଅବସ୍ଥାରେ ୨ ନଭେମ୍ବର ୨୦୨୬ରେ ଦିଲ୍ଲୀ AIIMSରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟର ରାଜନେତା, ଡାକ୍ତର, ଶିକ୍ଷାବିତ୍ ଓ ବିଭିନ୍ନ ବର୍ଗର ଲୋକ ଗଭୀର ଶୋକ ପ୍ରକାଶ କରିଥିଲେ।
AIIMS ଭୁବନେଶ୍ୱର ଓ SOA ବିଶ୍ୱବିଦ୍ୟାଳୟରେ ଶୋକସଭା ଆୟୋଜନ କରାଯାଇ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଜଣେ ମେଧାବୀ ଛାତ୍ରରୁ ଦେଶର ଜଣେ ପ୍ରତିଷ୍ଠିତ ନ୍ୟୁରୋ ସର୍ଜନ, ଶିକ୍ଷାବିତ୍ ଓ ଅନୁଷ୍ଠାନ ନିର୍ମାତା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା। ତାଙ୍କ ଶରୀର ଆଜି ନାହିଁ, କିନ୍ତୁ ତାଙ୍କ ଚିକିତ୍ସା ସେବା, ଗବେଷଣା ଓ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ।