ଆମେରିକାରେ ଭାରତୀୟ ସ୍କ୍ୱାଶ୍ ଖେଳାଳି ଅନାହତ ସିଂହଙ୍କ ଦମଦାର ପ୍ରଦର୍ଶନ। ସିଲିକନ୍ ଭ୍ୟାଲି ଓପନ୍ରେ ଲଗାତାର ଦୁଇ ଜଣ ଶକ୍ତିଶାଳୀ ଖେଳାଳିଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି ୧୮ ବର୍ଷୀୟ ଅନାହତ। କ୍ୱାର୍ଟର ଫାଇନାଲରେ ମିଶରର ସଲମା ହାନିଙ୍କୁ ୩-୨ ଗେମ୍ରେ ପରାସ୍ତ କରି ପ୍ରଥମ ଥର ପାଇଁ PSA ଗୋଲ୍ଡ ଲେଭଲ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି।

ମ୍ୟାଚ୍ରେ ଆରମ୍ଭରୁ ସଂଘର୍ଷ କରିଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଅନାହତ। ପ୍ରଥମ ଓ ତୃତୀୟ ଗେମ୍ରେ ପରାଜୟ ପରେ ଚତୁର୍ଥ ଗେମ୍କୁ ୧୧-୨ରେ ଜିତି ମ୍ୟାଚ୍କୁ ଫେରିଥିଲେ। ଶେଷ ଗେମ୍ରେ ୧୧-୫ରେ ବିଜୟ ସହ ସେମିଫାଇନାଲ ଟିକେଟ୍ ପକ୍କା କରିଥିଲେ ଭାରତୀୟ ଖେଳାଳି।

ଏହା ପୂର୍ବରୁ ଅନାହତ ବିଶ୍ୱର ତୃତୀୟ ନମ୍ବର ଖେଳାଳି ତଥା ଆଠ ଥରର ବିଶ୍ୱ ଚାମ୍ପିଅନ୍ ନୁର୍ ଏଲ୍ ଶେରବିନିଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରି ବଡ଼ ବିପର୍ଯ୍ୟୟ ଘଟାଇଥିଲେ। ଲଗାତାର ଦୁଇଟି ବଡ଼ ବିଜୟ ପରେ ଅନାହତଙ୍କ ଆତ୍ମବିଶ୍ୱାସ ଏବେ ଶୀର୍ଷରେ।

ସେମିଫାଇନାଲରେ ମାଲେସିଆର ବିଶ୍ୱର ଚତୁର୍ଥ ନମ୍ବର ଖେଳାଳି ଶିବସଙ୍ଗରୀ ସୁବ୍ରମଣ୍ୟମଙ୍କୁ ଭେଟିବେ ଅନାହତ। ଏହି ମ୍ୟାଚ୍ରେ ବିଜୟୀ ହେଲେ ଫାଇନାଲରେ ପ୍ରବେଶ କରିବେ ଭାରତୀୟ ତାରକା। ତାଙ୍କର ଏହି ପ୍ରଦର୍ଶନ ଭାରତୀୟ ସ୍କ୍ୱାଶ୍ ଜଗତ ପାଇଁ ଏକ ବଡ଼ ଉପଲବ୍ଧି।
