ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବାବେଳେ ଶ୍ରମ ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପରିବହନ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି, ଜଳସମ୍ପଦ ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ପଞ୍ଚାୟତିରାଜ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳଥିବାବେଳେ ଜଳସମ୍ପଦ ବିଭାଗର ୫ ଟେଣ୍ଡରକୁ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ହାଡୁଆ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ୍ ଲାଇନ୍ ପାଇଁ ଟେଣ୍ଡର ମଞ୍ଜୁର । ବଡ଼ମ୍ବାର ୭୬, ନରସିଂହପୁର ଓ ତିଗିରିଆର ୫ ଲେଖାଏଁ ଗାଁ ଉପକୃତ ହେବେ । ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଇଛି । ହୀରାକୁଦରୁ ଜଳ ଉତ୍ତୋଳନ କରି ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ସମ୍ବଲପୁର ଜିଲ୍ଲାର ୬ ହଜାର ୨୧୦ ହେକ୍ଟର ଜମି ଜଳସେଚିତ ହେବ ଏବଂ ୩୪୦୦ କୋଟିର ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ପାରିତ । ୩୧୮ଟି ବସ୍ଷ୍ଟାଣ୍ଡର ଉନ୍ନତୀକରଣ କରାଯିବ । କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ MVA ସବ୍ଷ୍ଟେସନ ହେବ । ଓଡ଼ିଶା ଶ୍ରମ ସେବା ନିୟମାବଳୀରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ହୋଇଛି । ପୂର୍ବରୁ ନିଯୁକ୍ତ ALO, RLI ମାନେ ବିଭାଗୀୟ ପରୀକ୍ଷାରୁ ଛାଡ଼ ପାଇବେ ।