ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ଆଳୁ ଓ ପିଆଜ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି। ଖୁଚୁରା ବ୍ୟବସାୟୀମାନେ ଯଦି ଆଳୁକୁ ୧୨ ଟଙ୍କାରୁ ଅଧିକ ଦରରେ ବିକ୍ରି କରନ୍ତି, ତେବେ ସେମାନଙ୍କ ବିରୋଧରେ ଜେଲ୍ ସହିତ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି ସଚେତନ କରାଯାଇଛି।
ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରେ ମିଶ୍ର, ବିଏମସିର ଏସିଏସଓ ଏବଂ ଭୁବନେଶ୍ୱରର ବିଭିନ୍ନ ବ୍ୟବସାୟୀ ଯୋଗଦେଇଥିଲେ। ଆଳୁ ଓ ପିଆଜ ଦର ନିୟନ୍ତ୍ରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆଳୁ ଦର ୧୨ ଟଙ୍କା ଓ ପିଆଜ ଦର ୨୦ ଟଙ୍କାରୁ ଅଧିକ ହେବାକୁ ଦିଆଯିବ ନାହିଁ। ଏହା ଉଲ୍ଲଂଘନ କଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ।
ବୈଠକ ପରେ ସହରର ବିଭିନ୍ନ ମାର୍କେଟରେ ଚଢାଉ ଆରମ୍ଭ ହୋଇଥିଲା। ଯୋଗାଣ ବିଭାଗର ଏସିଏସଓଙ୍କ ନେତୃତ୍ୱରେ ୟୁନିଟ୍-୧ ଓ ୟୁନିଟ୍-୪ ମାର୍କେଟରେ ଯାଞ୍ଚ କରାଯାଇଥିଲା। କେବଳ ଆଳୁ ଓ ପିଆଜ ନୁହେଁ, ବରଂ ହାଟରେ ଥିବା ସମସ୍ତ ଗ୍ରୋସରୀ ଦୋକାନ ମଧ୍ୟ ଯାଞ୍ଚ କରାଯାଇଛି। ଚାଉଳ, ଡାଲି ଓ ତେଲର ଦର ମଧ୍ୟ ଯାଞ୍ଚ କରାଯାଇଥିଲା। ସେପରି ବଡ ଗୋଦାମଗୁଡ଼ିକରେ ରହିଥିବା ଷ୍ଟକ ମଧ୍ୟ ଯାଞ୍ଚ କରିଛି ଯୋଗାଣ ବିଭାଗ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଆବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣରେ ରହିବ ବୋଲି ଆଶା କରାଯାଉଛି।