ରାୟଗଡା ସହରରେ ଚିନ୍ତା ବଢାଇଲେ ଡିକି ଭଙ୍ଗା ଲୁଟେରା

ଡିକି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା । ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ୟାଙ୍ଗ ।  ସହରର ସ୍ୱାଗତ ଲେନ୍ ର ଏକ ହୋଟେଲ୍ ରେ ଖାଉଥିବା ବେଳେ ସୁନା ବ୍ୟବସାୟୀ ସନ୍ତୋଷ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଛି । ଆଜି ମାଧ୍ୟାନରେ ବ୍ୟବସାୟୀ ସନ୍ତୋଷ ସ୍କୁଟିରେ ସୁନା ରଖି ଖାଇବାକୁ ଯାଇଥିଲେ । ଉକ୍ତ ସମୟରେ ଦୁଇ ଜଣ ଦୁର୍ବୃତ୍ତ ହୋଟେଲ ପରିସରକୁ ଆସି ସ୍କୁଟିର ଡିକି ଭାଙ୍ଗି ପ୍ରାୟ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ ।

ଏନେଇ ସଂପୃକ୍ତ ବ୍ୟବସାୟୀ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ହୋଟେଲ ବାହାରେ ଲାଗିଥିବା ସିସିଟିଭିକୁ ତନ୍ନତନ୍ନ  କରି ଯାଞ୍ଚ୍ କରିଛି ପୁଲିସ । ବ୍ୟବସାୟୀ ସନ୍ତୋଷ ମହାପାତ୍ରଙ୍କ ଘର ଚିନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଅଞ୍ଚଳରେ ହୋଇଥିବା ବେଳେ ସେ ରାୟଗଡା ସହରରେ ଥିବା ସୁନା ଦୋକାନୀଙ୍କ ଠାରୁ ବକେୟାରେ ସୁନା ଆଣି ବିକ୍ରି କରିଥାନ୍ତି । ତେବେ ରାୟଗଡା ସହରରେ ବାରମ୍ବାର ଲୁଟ୍ ଘଟଣା ନଜରକୁ ଆସୁଥିବା ବେଳେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି ।