ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ

ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ । ଦିନକୁ ଦିନ ମାଓବାଦୀ ମାନେ ହିଂସା ପଥକୁ ତ୍ୟାଗ କରି ଆତ୍ମ ସମର୍ପଣ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨୦୧୧ ରୁ ମାଓବାଦୀଙ୍କ ଚଳପ୍ରଚଳ ରହିଥିବା ବେଳେ ଜିଳ୍ଲାର ୧୩ଟି ବ୍ଳକରୁ ୧୧ଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ଥିଲା । ଜିଲ୍ଲାରେ କେକେବିଏନ ( କଳାହାଣ୍ଡି,କନ୍ଧମାଳ ବୌଦ୍ଧ ନୟାଗଡ଼ ଡିଭିଜନ) ଓ ବାଗୁନା (ବଂଶଧାରା, ଘୁମୁସର ନାଗାବଳୀ) ନାମରେ ଦୁଇଟି ଡିଭିଜନ ରହିଛି । ଏହି ଦୁଇଟି ମାଓ ସଂଗଠନ ଚାଲି ଆସୁଥିବା ବେଳେ ବିଭିନ୍ନ ସମୟରେ ମାଓବାଦୀ ସମାଜର ମୁଖସ୍ରୋତରେ ସାମିଲ୍ ପାଇଁ ଆତ୍ମସମର୍ପଣ କରୁଛନ୍ତି । ତେବେ କଳାହାଣ୍ଡି ଜିଲ୍ଲାରେ ମାଓ ବିରୋଧୀ ଅଭିଯାନରେ ପୋଲିସର ବଡ଼ ସଫଳତା ମିଳିଛି । ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନର ହେଇଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ମାଓ ସଂଗଠନ ସହ ଜଡିତ ଥିବା ଏହି ମାଓବାଦୀମାନେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଆଗକୁ ଆସିଛନ୍ତି । ପୋଲିସର ଲଗାତାର କମ୍ବିଂ ଅପରେସନ୍ ଓ ସରକାରଙ୍କ ସରେଣ୍ଡର ପଲିସି ଫଳରେ ସେମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି । ଆଜିର ମାଓବାଦୀଙ୍କର ଏହି ଆତ୍ମସମର୍ପଣ ସହ ସମାପ୍ତ ହୋଇଛି ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ।

11 Maoists surrender