ମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ, ସ୍ୱାଧୀନ ଭାବରେ ବଞ୍ଚିପାରିବେ ପ୍ରାପ୍ତ ବୟସ୍କ ଝିଅ । ବାପା-ମା’ କିମ୍ବା ଶ୍ୱଶୁର ଘର ଲୋକେ, ଘରେ ରହିବାକୁ କରିପାରିବେ ନାହିଁ ବାଧ୍ୟ । ହାଇକୋର୍ଟ କହିଛନ୍ତି ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଜଣେ ପ୍ରାପ୍ତବୟସ୍କ ମହିଳା ବା ଝିଅ ଯଦି ସ୍ୱାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ ।
ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଏହା ସହ ମହିଳାଙ୍କ ବାପା-ମା’ କରିଥିବା ହେଭିୟସ କର୍ପସ ପିଟିସନ ଖାରଜ ହୋଇଛି । ରାୟ ଅନୁସାରେ,ଜଣେ ମହିଳାଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବାରୁ ମାମଲା କୋର୍ଟରେ ଯାଇ ପହଞ୍ଚିଥିଲା । ଏହି ସମୟରେ ସେ ବାପ ଘରକୁ ନଯାଇ ପରିବାର ଠାରୁ ଦୁରେଇ କୌଣସି ଏକ ସ୍ଥାନରେ ରହୁଥିଲେ । ତେବେ ଏକ ବର୍ଷ ଧରି ଝିଅ କୁ ନପାଇ ଚିନ୍ତିତ ହୋଇ ଏବଂ ଘରକୁ ଫେରାଇ ଆଣିବା ପାଇଁ ବାପା ମା’ କୋର୍ଟରେ ଏକ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ । ଏହାପରେ ୨୦୨୪ରେ ଝିଅ ଜଣକ ଥାନାରେ ହାଜର ହୋଇ ନିଜ ଶ୍ୱଶୁର ଘର ଓ ବାପା-ମା’ଙ୍କ ନିକଟରେ ରହିବାକୁ ଆଗ୍ରହୀ ନଥିବା କହିଥିଲେ । ସେ ଏକାକୀ ରହୁଛନ୍ତି ଓ ସ୍ବାବଲମ୍ବୀ ବୋଲି ପୋଲିସକୁ ଜଣାଇଥିଲେ । ଏହି ମାମଲାର ବିଚାର କରି ବାପା-ମା’ଙ୍କ ତରଫରୁ ଦାୟର ହୋଇଥିବା ପିଟିସନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯୁବତୀ ଜଣକ ବେଆଇନ ଭାବେ ଅଟକ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି । ପ୍ରାପ୍ତ ବୟସ୍କ ହେବାପରେ ସେ ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ଖୋଜି ବାହାର କରିବାକୁ ବା ଏସଂପର୍କିତ ତଥ୍ୟ ପ୍ରମାଣ ପାଇବାକୁ ହେବିୟସ କର୍ପସ ପିଟିସନକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ମାମଲା ଖାରଜ କରିଛନ୍ତି ।