New Delhi: ଲଦ୍ଦାଖର ସାମାଜିକ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଗୃହ ବିଭାଗ ତାଙ୍କ ବିରୋଧରେ ଲାଗୁ ହୋଇଥିବା ଏନଏସଏ ଅନୁସାରେ ସମସ୍ତ କଟକଣାକୁ ହଟାଇଦେଇଛି। ଏହାସହ ତାଙ୍କ ଗିରଫଦାରୀକୁ ମଧ୍ୟ ରଦ୍ଦ କରାଯାଇଛି। ମନ୍ତ୍ରାଳୟ କହିଛି ଯେ ଏହି ନିଷ୍ପତ୍ତି ତୁରନ୍ତ ଲାଗୁ ହେବ। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସରକାର ଲଦାଖରେ ଶାନ୍ତି, ସ୍ଥିରତା ଓ ପରସ୍ପର ମଧ୍ୟରେ ବିଶ୍ୱାସର ପରିବେଶ ସୃଷ୍ଟି ପାଇଁ ପ୍ରତିବଦ୍ଧ।

ଏନଏସଏ ହଟାଇବାର ନିଷ୍ପତ୍ତି ସମସ୍ତ ପକ୍ଷ ସହ ଆଲୋଚନା ପରେ ନିଆଯାଇଛି ବୋଲି ସରକାର କହିଛି। ସମସ୍ତ ପରିସ୍ଥିତି ଓ ପକ୍ଷଗୁଡ଼ିକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ମତାନୁସାରେ, ସୋନମ ଓ୍ୱାଙ୍ଗଚୁକଙ୍କ ମୁକ୍ତି ପରେ ଲଦ୍ଦାଖରେ ଚାଲିଥିବା ଅସ୍ଥିରତା କମିବ। ସୋନମ ଗତ କିଛି ଦିନ ଧରି ଲଦ୍ଦାଖକୁ ଭାରତୀୟ ସଂବିଧାନର ଷଷ୍ଠ ଅନୁଚ୍ଛେଦରେ ସାମିଲ କରିବା ଏବଂ ଏହାକୁ ପୁଣିଥରେ ରାଜ୍ୟ ମାନ୍ୟତା ଦେବାକୁ ଦାବି କରି ଆନ୍ଦୋଳନ କରୁଥିଲେ।

ସୂଚନାଯୋଗ୍ୟ, ସୋନମ ଓ୍ୱାଙ୍ଗଚୁକଙ୍କୁ ଗିରଫ କରାଯାଇବା ପରେ ଲଦ୍ଦାଖ ସହ ସାରା ଦେଶରେ ବିରୋଧ ପ୍ରକାଶ ପାଇଥିଲା। ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ମଧ୍ୟ ଏହାକୁ ନେଇ ପ୍ରତିବାଦ କରିଥିଲେ। ଏବେ ସୋନମଙ୍କ ମୁକ୍ତି ପରେ କେନ୍ଦ୍ର ସରକାର ଓ ଲଦ୍ଦାଖର ପ୍ରତିନିଧିମାନଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହେବ ବୋଲି ଆଶା କରାଯାଉଛି। ସରକାର ମଧ୍ୟ ଭବିଷ୍ୟତକୁ ନଜରରେ ରଖି ଏହି ପଦକ୍ଷେପ ନେଇଥିବା କହିଛନ୍ତି।