ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷା ପରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୨ତମ କିସ୍ତି ଜାରି ହେବାର ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଏହି କିସ୍ତିର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ। ଏହି ସୂଚନା ସରକାର ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରଧାନମନ୍ତ୍ରୀ କିଷାନର ସରକାରୀ ଆକାଉଣ୍ଟ ମାଧ୍ୟମରେ ନିଶ୍ଚିତ କରାଯାଇଛି। ପୋଷ୍ଟରେ କୁହାଯାଇଛି ଯେ, ଯୋଜନା ଅନ୍ତର୍ଗତ ପରବର୍ତ୍ତୀ କିସ୍ତି ନିର୍ଦ୍ଧାରିତ ତାରିଖରେ ସିଧାସଳଖ ଭାବେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।
କିଛି ସମୟ ଧରି ଚାଷୀମାନେ ୨୨ତମ କିସ୍ତି କେବେ ମିଳିବ ତାହାକୁ ନେଇ ଅପେକ୍ଷା କରୁଥିଲେ। ପ୍ରଥମେ ଖବର ଆସିଥିଲା ଯେ ଫେବୃଆରୀ ଶେଷ ସୁଦ୍ଧା ଚାଷୀମାନଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଯିବ। ପରେ ହୋଲି ପୂର୍ବରୁ ଏହି ଟଙ୍କା ମିଳିପାରେ ବୋଲି ମଧ୍ୟ ଆଲୋଚନା ହେଉଥିଲା। ଏବେ ସରକାରୀ ଘୋଷଣା ପରେ ଚାଷୀମାନଙ୍କ ଅପେକ୍ଷାର ଅନ୍ତ ଘଟିଛି ଏବଂ ନିର୍ଦ୍ଧାରିତ ତାରିଖରେ ଏହି ରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ଯିବ।