ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁଇ ଜଣ ପାଇଲଟ ଶହୀଦ ହୋଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଯୁଦ୍ଧ ବିମାନଟି ନିୟମିତ ତାଲିମ ମିଶନରେ ଥିଲା ଏବଂ ଗୁରୁବାର ସନ୍ଧ୍ୟାରେ ଜୋରହାଟ ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା । ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ବାୟୁସେନା ଘାଟିରୁ ପ୍ରାୟ ୬୦ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ସ୍କ୍ବାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କ ମୃତ୍ୟୁ ହୋଇଥିବା ବାୟୁସେନା ସ୍ପଷ୍ଟ କରିଛି ।
![]()
ବାୟୁସେନା କହିଛି ଯେ, ରାତିରେ ଉଡ଼ାଣ ଅଭ୍ୟାସ ସମୟରେ ବିମାନଟି ଅନ୍ୟ ତିନୋଟି ସୁଖୋଇ ଜେଟ୍ ସହିତ ଉଡ଼ୁଥିଲା । ତାଲିମ ମିଶନ ପରେ ଗୋଟିଏ ବିମାନ ବେସକୁ ଫେରି ନଥିଲା । ରାଡାରରୁ ଅଦୃଶ୍ୟ ହେବା ପରେ ବୋରପୁଙ୍ଗ ଅଞ୍ଚଳ ନିକଟରେ ସନ୍ଧ୍ୟା ପ୍ରାୟ ୭.୪୨ ସମୟରେ ଜେଟ୍ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ନିଲିପ୍ ବ୍ଲକ ଅନ୍ତର୍ଗତ ଚୋକିହୋଲା ଅଞ୍ଚଳ ନିକଟରେ ଏକ ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା ।ବିମାନ ଏବଂ ପାଇଲଟମାନଙ୍କୁ ଠାବ କରିବା ପାଇଁ ତୁରନ୍ତ ବାୟୁ ସେନାର ଟିମ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ତେବେ ଏହି ସ୍ଥାନ ପାହାଡ଼ିଆ ଘଞ୍ଚ ଜଙ୍ଗଲିଆ ଅଞ୍ଚଳ ଯୋଗୁଁ ଏହି ଅଭିଯାନ ଚ୍ୟାଲେଞ୍ଜିଂ ଥିଲା । କର୍ତ୍ତୃପକ୍ଷ କହିଛନ୍ତି ଯେ, ଘଟଣା ବିଷୟରେ ଅଧିକ ବିବରଣୀ ସଂଗ୍ରହ କରିବା ପାଇଁ ପ୍ରୟାସ ଜାରି ରହିଛି । ଦୁର୍ଘଟଣାର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ବାୟୁସେନା ମଧ୍ୟ ତଦନ୍ତ ଆରମ୍ଭ କରିଛି ।