ଅଶାନ୍ତ ମଧ୍ୟପ୍ରାଚ୍ୟ ପାଇଁ ୩୫୦ ଘରୋଇ ବିମାନ ବାତିଲ୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଅଶାନ୍ତି ଓ ଆକାଶପଥରେ ଲାଗୁ ହୋଇଥିବା କଟକଣାର ପ୍ରଭାବ ଏବେ ଘରୋଇ ବିମାନ ସେବା ଉପରେ ପଡ଼ିଛି। ଆଜି ସମଗ୍ର ଦେଶରେ ପ୍ରାୟ ୩୫୦ଟି ଘରୋଇ ବିମାନ ବାତିଲ୍‌ କରାଯାଇଥିବା ସୂଚନା ମିଳିଛି। ଆକାଶପଥରେ ସୁରକ୍ଷାଜନିତ ସୀମାବଧ୍ଧତା ଓ ରୁଟ୍‌ ପରିବର୍ତ୍ତନ ପାଇଁ ଏହି ପଦକ୍ଷେପ ନିଆଯାଇଥିବ ବୋଲି କୁହାଯାଉଛି। ଏନେଇ Ministry of Civil Aviation ‘X’ (ପୂର୍ବତନ ଟ୍ୱିଟର) ମାଧ୍ୟମରେ ସର୍ବସାଧାରଣଙ୍କୁ ସୂଚନା ଜାରି କରିଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ବିମାନବନ୍ଦରକୁ ଯିବା ପୂର୍ବରୁ ନିଜ ନିଜ ବିମାନ ସେବା ସଂସ୍ଥାର ଆଧିକାରିକ ୱେବସାଇଟ୍‌ କିମ୍ବା ମୋବାଇଲ୍‌ ଆପ୍‌ରେ ଫ୍ଲାଇଟ୍‌ ଷ୍ଟାଟସ୍‌ ଯାଞ୍ଚ କରନ୍ତୁ। ବିମାନ ସେବା କମ୍ପାନୀମାନେ ମଧ୍ୟ ଯାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା, ପୁନର୍ନିର୍ଦ୍ଧାରଣ କିମ୍ବା ରିଫଣ୍ଡ ସୁବିଧା ଦେବାକୁ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରେ ଆକାଶପଥ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା କଟକଣା ରହିଥିବାରୁ ଆସନ୍ତା କିଛି ଦିନ ଯାଏଁ ଉଡ଼ାଣ ସୂଚୀରେ ପରିବର୍ତ୍ତନ ସମ୍ଭାବନା ରହିଛି। ଯାତ୍ରୀମାନେ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।