ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ବିଧାନସଭାରେ ବସିବା ସିଟ୍ ପରିବର୍ତ୍ତନ ହୋଇଛି। ଦୁହେଁଙ୍କ ସିଟ୍ ନମ୍ବର ନୂଆକରି ନିର୍ଦ୍ଧାରଣ କରାଯାଇଛି।ଅରବିନ୍ଦ ମହାପାତ୍ରଙ୍କ ପୂର୍ବତନ ସିଟ୍ ନମ୍ବର G19 ଥିଲା, ଯାହାକି ଏବେ F19 କରାଯାଇଛି। ତାଙ୍କ ସିଟ୍ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ କରାଯାଇଛି। ସେପରି ସନାତନ ମହାକୁଡଙ୍କ ପୂର୍ବତନ ସିଟ୍ F14 ଥିଲା, ଯାହାକି ବର୍ତ୍ତମାନ F21 କରାଯାଇଛି। ତାଙ୍କ ସିଟ୍ ମାଧବ ଧଡାଙ୍କ ସହ ବଦଳାଯାଇଛି। ଉଭୟ ନେତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସିଟ୍ ପରିବର୍ତ୍ତନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ସେପଟେ ନିଲମ୍ବନ ପରେ ରାଜନୀତି ଶାନ୍ତ ହେବ ବୋଲି ଭାବାଯାଉଥିଲେ ମଧ୍ୟ, ପରିସ୍ଥିତି ଉଲ୍ଟା ତେଜିବାରେ ଲାଗିଛି। ଅରବିନ୍ଦ ମହାପାତ୍ର ଆଜି ସାଂଘାତିକ ବୟାନ ଦେଇ କହିଛନ୍ତି ଯେ ବିଜେଡିର ଅନେକ ନେତା ଏବେ ତାଙ୍କ ସହ ସଂଯୋଗରେ ଅଛନ୍ତି। ନିଲମ୍ବନ ସମ୍ବାଦ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିବା କଥା ମଧ୍ୟ ସେ ଦାବି କରିଛନ୍ତି। ଉଲ୍ଲେଖ୍ୟ ଯେ, ଗତ ୧୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶରେ ବିଜେଡି ପକ୍ଷରୁ ଅରବିନ୍ଦଙ୍କ ବିରୋଧରେ ବିଶାଳ ସଭା ଆୟୋଜିତ ହୋଇଥିଲା। ସେଠାରେ ତାଙ୍କ ବିରୋଧରେ କଟୁ ଆଲୋଚନା ହୋଇଥିବା କୁହାଯାଉଛି। ଏହାକୁ କାଉଣ୍ଟର କରି ଅରବିନ୍ଦ ମହାପାତ୍ର ଏହି ପ୍ରତିକ୍ରିୟା ଦେଇଥିବାରୁ ରାଜନୀତିକ ପରିସ୍ଥିତି ଆହୁରି ଗରମ ହେବାର ସମ୍ଭାବନା ରହିଛି।