୧୧୪ ରାଫେଲ୍ ଯୁଦ୍ଧ ବିମାନ କ୍ରୟକୁ ଭାରତର ମଞ୍ଜୁରୀ, ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ରାଫେଲ୍ ଯୁଦ୍ଧ ବିମାନର କାର୍ଯ୍ୟକୁଶଳତା ଦେଖିବା ପରେ ଭାରତ ସରକାର ଏହି ଫ୍ରାନ୍ସୀୟ ଲଢୁଆ ବିମାନ ଉପରେ ଆହୁରି ଭରସା ବଢ଼ାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ବୈଠକରେ ୧୧୪ ରାଫେଲ୍ ବିମାନ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ଚୁକ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ୩୬ ରାଫେଲ୍ ବିମାନ ରହିଛି। ଏହି ବିମାନଗୁଡ଼ିକ ବିଭିନ୍ନ ବାୟୁସେନା ଘାଟିରେ ମୁତାୟନ ଅଛନ୍ତି।

ବୈଠକରେ କେବଳ ରାଫେଲ୍ ବିମାନ କ୍ରୟ ନୁହେଁ, ଅନ୍ୟାନ୍ୟ ଆଧୁନିକ ଅସ୍ତ୍ର-ଶସ୍ତ୍ର କ୍ରୟ ନେଇ ମଧ୍ୟ ଆଲୋଚନା ହୋଇଛି। ଫ୍ରାନ୍ସରୁ ସ୍କାଲ୍ପ କ୍ରୁଜ୍ ମିସାଇଲ୍, ଆମେରିକାରୁ P-8I ସାମୁଦ୍ରିକ ନିରୀକ୍ଷଣ ବିମାନ ଓ S-400 ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ଏହା ସହିତ, ସ୍ୱଦେଶୀ ରକ୍ଷା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ DRDO ଦ୍ୱାରା ବିକଶିତ ଆଣ୍ଟି-ଟ୍ୟାଙ୍କ ମାଇନ୍ସକୁ ମଞ୍ଜୁରୀ ମିଳିପାରେ। ରାଫେଲ୍ ଯୁଦ୍ଧ ବିମାନ ଆଧୁନିକ ରାଡାର୍ ପ୍ରଣାଳୀ ଓ ଦୂରପାଳିଆ ମିସାଇଲ୍ କ୍ଷମତା ସହିତ ସଜ୍ଜିତ। ନୂଆ ୧୧୪ ବିମାନ ଯୋଗ ହେଲେ ଭାରତୀୟ ବାୟୁସେନାର କ୍ଷମତା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।