ନିଶାଙ୍କୁ ଜାମିନ ମଞ୍ଜୁର କଲେ ବଲାଙ୍ଗିର ଏସଡିଜେଏମ କୋର୍ଟ, ଗଣ ମାଧ୍ୟମ ଆଗରେ କହିଲେ…

ବଲାଙ୍ଗିର: ଯାତ୍ରା ଅଭିନେତ୍ରୀ ନିଶା ମହାରଣା ମଙ୍ଗଳବାର ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରି ବଲାଙ୍ଗିର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କୋର୍ଟରେ ହାଜର ହେବା ସହ ନିଶାଙ୍କୁ ୨୦ ହଜାର ଟଙ୍କା ଜାମିନରେ ମୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଅଧୀନ ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ତାରିଖ ରାତିରେ ଯାତ୍ରା କାର୍ଯ୍ୟକ୍ରମ ସମୟରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗ ହୋଇଥିଲା। ଏନେଇ ଡିସେମ୍ବର ୧୪ ତାରିଖରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପଧାନ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଓ ଯାତ୍ରା କମିଟିର ସଭାପତି ଓ ସମ୍ପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଗିରଫଦାରୀ ଆଶଙ୍କାରେ ନିଶା ମହାରଣା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ମଙ୍ଗଳବାର ଅପରାହ୍ନରେ ନିଜ ଓକିଲଙ୍କ ସହ ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ସେପଟେ ଗଣମାଧ୍ୟମ ସହ କଥାବାର୍ତ୍ତାରେ ନିଶା କହିଛନ୍ତି ଯେ, ଯାତ୍ରା ଆୟୋଜକଙ୍କ ଅନୁରୋଧରେ ସେ ଷ୍ଟେଜକୁ ଯାଇଥିଲେ। ପ୍ରଥମେ ସେ ଅଶ୍ଳୀଳ ପୋଷାକ ପିନ୍ଧିନଥିଲେ, କିନ୍ତୁ ଦର୍ଶକଙ୍କ ଡିମାଣ୍ଡ ଦେଖାଇ ଆୟୋଜକମାନେ ପୋଷାକ ପରିବର୍ତ୍ତନ ପାଇଁ ଚାପ ପକାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଆଗାମୀ ଦିନରେ କୋର୍ଟଙ୍କ ସମସ୍ତ ନିର୍ଦ୍ଦେଶ ମାନିବା ସହ ଅଶ୍ଳୀଳ ନୃତ୍ୟ କରିବେ ନାହିଁ ବୋଲି ନିଶା ସପଷ୍ଟ କରିଛନ୍ତି।