ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ନୂଆ ମୋଡ଼ ଆସିଛି। ଘଟଣା ସମ୍ପର୍କିତ CCTV ଫୁଟେଜ ସାମ୍ନାକୁ ଆସିଥିବା ବେଳେ, ଦୁଇଟି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ ଆକ୍ରମଣ ସମୟରେ ସତ୍ୟବ୍ରତ ପ୍ରଧାନ ଜୀବନ ବଞ୍ଚାଇବାକୁ ଦୌଡୁଥିବାର ସ୍ପଷ୍ଟ ଦୃଶ୍ୟ CCTVରେ କଏଦ ହୋଇଛି। ଅନ୍ୟ ଏକ ଭିଡିଓରେ ଜଣେ ପୁଅ ଓ ଝିଅ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳୁଛି। ମିଳିଥିବା ତଥ୍ୟ ଅନୁସାରେ, ପୁଅଟି ଦିନେଶ ଓ ଝିଅଟି ଲିଜା ହୋଇଥିବା ଅନୁମାନ କରାଯାଉଛି, ହେଲେ ଏନେଇ ବର୍ତ୍ତମାନ ଯାଏଁ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସ୍ୱୀକୃତି ମିଳିନି।
ଅନ୍ୟପଟେ, ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲାରେ ପୋଲିସ ପ୍ରେମିକା ଲିଜା କାଣ୍ଡିଙ୍କୁ ଅଟକ ରଖି ଜେରା କରୁଛି। ଏହାସହ ଘରମାଲିକ, ଭଡ଼ାଟିଆ ଓ ପଡୋଶୀମାନଙ୍କୁ ଡାକି ବୟାନ ରେକର୍ଡ କରାଯାଉଛି। ଲିଜାଙ୍କ ପଡୋଶୀମାନେ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୮ ତାରିଖ ବିଳମ୍ବିତ ରାତିରେ ତଣ୍ଟି କାଟି ସତ୍ୟବ୍ରତଙ୍କୁ ହତ୍ୟା କରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଫିଙ୍ଗି ଦିଆଯାଇଥିଲା।
ପୋଲିସ ସୂତ୍ର ଅନୁସାରେ, ପଚରାଉଚରା ବେଳେ ଲିଜା ବାରମ୍ବାର ବୟାନ ବଦଳାଉଥିବାରୁ ସନ୍ଦେହ ଘନୀଭୂତ ହୋଇଛି। ସତ୍ୟ ଉଦ୍ଘାଟନ ପାଇଁ BNSS ଧାରା ୧୮୦ ଅନୁଯାୟୀ ବୟାନ ରେକର୍ଡ, CDR ଯାଞ୍ଚ, ଏବଂ ଲିଜା ଓ ପୂର୍ବତନ ବୟଫ୍ରେଣ୍ଡ ଦିନେଶଙ୍କୁ ମୁହାଁମୁହିଁ ଜେରା କରାଯିବ।
ଲିଜା ରହୁଥିବା ଘରକୁ ସିଲ୍ କରାଯାଇଥିବା ବେଳେ, ଅଧିକ ତଥ୍ୟ ସଂଗ୍ରହ ପାଇଁ ତାଙ୍କ ପାର୍ଲରରେ ପୋଲିସ ତଲାସୀ ଚଢ଼ାଇଛି। ସିନିୟର୍ ଲେଡି ଇନ୍ସପେକ୍ଟର ମାମଲାର ଗୁରୁତ୍ୱପୂର୍ଣ୍ଣ ବୟାନ ରେକର୍ଡ କରିବେ।