ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ

ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ ନେଇ ସୂଚନା ଦେଲେ ରାଉରକେଲା ଏସ୍‌ପି । ପ୍ଲାଣ୍ଟ ସାଇଡ୍ ଥାନା ଅଞ୍ଚଳରେ ଏକ ଚା’ ଦୋକାନୀକୁ ୨ ଦିନ ତଳେ ଛୁରି ଭୁସି ନିର୍ମମ ହତ୍ୟା କରାଯାଇଥିଲା । ଶୁକ୍ରବାର ରାତିରେ ରାଉରକେଲାର ଜନଗହଳିପୂର୍ଣ୍ଣ ରେଳ‌ଷ୍ଟେସନ ନିକଟସ୍ଥ ଅମରଭବନ ସମ୍ମୁଖରେ ଚା’ ଦୋକାନୀଙ୍କୁ ତିନି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରି ଛୁରି ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ । ସ୍ଥାନୀୟ ଦୋକାନୀ ମୃତକଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତ ଚା’ ଦୋକାନୀଙ୍କ ନାମ ଅବିନାଶ ଯାଦବ ହୋଇଥିବା ନେଇ ସୂଚନା ମିଳିଛି ।
ଘଟଣାର ତଦନ୍ତ କରି ସମସ୍ତ ଅଭିଯୁକ୍ତ ଗିରଫ କଲା ରାଉରକେଲା ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥଲା ବୋଲି ପୋଲିସ ସୂଚନା ଦେଇଛି । ଘଟଣାର ତଦନ୍ତ କରି ପ୍ଲାଣ୍ଟସାଇଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତ ଏବଂ ଜଣେ ନାବାଳକକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୩୬ରୁ ଅଧିକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ଗୋଟିଏ ବୋଲେରୋ, ଗୋଟିଏ କାର୍ ଏବଂ ୫ଟି ମୋବାଇଲ୍ ଜବତ କରାଯାଇଛି ।