ପାଟକୁରା ଡେରାବିଶ ବ୍ଲକ୍‌ରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ

ପାଟକୁରା: ପାଟକୁରା ଡେରାବିଶ ବ୍ଲକରେ ଶନିବାର ଶକ୍ତି ପ୍ରଦର୍ଶନ କରିଛନ୍ତି ନିକଟରେ ବିଜେଡିରୁ ବିଦା ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଏକ ମୋଟରସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଯାଇ ଅରବିନ୍ଦ ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱରପୁରରେ ପହଞ୍ଚି ଲାଲ୍‌ବାହାଦୂର ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କରିଛନ୍ତି ଅରବିନ୍ଦ। ସେ କହିଛନ୍ତି, ନବୀନ ବାବୁ ମିଛ କହିଛନ୍ତି, ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି। ୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି। ମୋ ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି, ମାତ୍ର ଏଥିରେ ମୁଁ ଆଦୌ ବିଚଳିତ ନୁହେଁ। ପାଟକୁରାବାସୀ ମୋତେ ନିର୍ବାଚନ ଜିତାଇଛନ୍ତି, ବିଧାନସଭାରେ ସେହି ପାଟକୁରାବାସୀଙ୍କ ପାଇଁ ସ୍ବର ଉଠାଇବି ବୋଲି ଅରବିନ୍ଦ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଥିଲା । ପାଟକୁରାରୁ ବିରାଟ ପଟୁଆରରେ ଆସିଥିଲେ ଅରବିନ୍ଦଙ୍କ ଶହ ଶହ ସମର୍ଥକ । ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକମାନେ ମେଳି କରିଥିଲେ ।ଅରବିନ୍ଦଙ୍କ ନିଲମ୍ବନ ଉପରେ ପୁନର୍ବିଚାର କରାଯିବା ଉଚିତ ବୋଲି ସମର୍ଥକମାନେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଥିଲେ । ଜଣେ ସମର୍ଥକ କହିଥିଲେ ଯେ, ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଆମେ ଭେଟିଛୁ ।’ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି’ ଏବଂ ଘଟଣାର ‘ପୁନର୍ବିଚାର କରିବାକୁ ସମୟ ମାଗିଛନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ସସପେଣ୍ଡ କରାଗଲା ସେନେଇ ପ୍ରଶ୍ନ କରିଥିଲେ ସମର୍ଥକମାନେ । ଅନ୍ୟପଟେ, ଶଙ୍ଖଭବନରେ ମେଳି କାରଣରୁ ନବୀନ ନିବାସ ଚାରିପଟେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଥିଲା । ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି ।