ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ । ଦଳ ଉଦଘାଟନୀ ମ୍ୟାଚ୍ରେ ଆମେରିକାକୁ ଛଅ ୱିକେଟରେ ପରାସ୍ତ କରିଛି । ଗୁରୁବାର ବୁଲାୱାୟୋରେ, ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଆମେରିକାକୁ ୧୦୭ ରନ୍ରେ ଅଲଆଉଟ୍ କରିଥିଲା ଏବଂ ମାତ୍ର ୧୭.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଆମେରିକାର ଆରମ୍ଭ ଖରାପ ଥିଲା । ମାତ୍ର ୩୯ ରନ୍ରେ ପାଞ୍ଚ ୱିକେଟ୍ ହରାଇଥିଲା ଆମେରିକା । ଅମ୍ରିନ୍ଦର ଗିଲ୍ ୧, ସାହିଲ ଗର୍ଗ ୧୬, ଉତ୍କର୍ଷ ଶ୍ରୀବାସ୍ତବ ଶୂନ, ଅର୍ଜୁନ ମହେଶ ୧୬ ଏବଂ ଅମୋଘ ଆରେପାଲି ୩ ରନ୍ରେ ଆଉଟ୍ ହୋଇଥିଲେ। ତା’ପରେ ଅଦନୀତ ଝାମ୍ବ ୧୮ ରନ୍ କରି ଦଳକୁ ୫୦ ରନ୍ ଅତିକ୍ରମ କରାଇଥିଲେ । ନୀତୀଶ ସୁଦିନି ଶେଷରେ ୩୬ ରନ୍ କରି ଦଳକୁ ୩୫.୨ ଓଭରରେ ୧୦୭ ରନ୍ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ହେନିଲ ପଟେଲ ପାଞ୍ଚଟି ୱିକେଟ୍ ନେଇଥିଲେ । ବୈଭବ ସୂର୍ଯ୍ୟବଂଶୀ, ଦୀପେଶ ଦେବେନ୍ଦ୍ରନ୍, ଆରଏସ ଅମ୍ବ୍ରିଶ ଏବଂ ଖିଲାନ ପଟେଲ ଜଣକା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୦୮ ରନର ବିଜୟ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ । ତାଙ୍କୁ ଆମେରିକୀୟର ଦ୍ରୁତ ବୋଲର ରିତ୍ୱିକ ଆପିଡି ବୋଲ୍ଡ କରିଥିଲେ । ଖେଳ ମଝିରେ ବର୍ଷା ହୋଇଥିଲା ସେତେବେଳେ ଭାରତ ୪ ଓଭରରେ ୧ ୱିକେଟ ହରାଇ ୨୧ ରନ କରିଥିଲା । ଖେଳ ପୁନର୍ବାର ଆରମ୍ଭ ହେବା ପରେ ଦଳକୁ ୯୬ ରନର ସଂଶୋଧିତ ଟାର୍ଗେଟ ଦିଆଯାଇଥିଲା । ଅଧିନାୟକ ଆୟୁଷ ମହାତ୍ରେ ୧୯ ରନ କରି ଆଉଟ ହୋଇଥିଲେ । ତାଙ୍କ ପଛକୁ ବେଦାନ୍ତ ତ୍ରିବେଦୀ ୨ ଏବଂ ବିହାନ ମାଲହୋତ୍ରା ୧୮ ରନ କରି ଆଉଟ୍ ହୋଇଥିଲେ । ୱିକେଟକିପର ଅଭିଜ୍ଞାନ କୁଣ୍ଡୁ କନିଷ୍କ ଚୌହାନଙ୍କ ସହ ମିଶି ୧୮ତମ ଓଭରରେ ବିଜୟ ସୁନିଶ୍ଚିତ କରିଥିଲେ । କୁଣ୍ଡୁ ୪୨ ରନ କରି ଅପରାଜିତ ରହିଥିଲେ ଏବଂ କନିଷ୍କ ୧୦ ରନ କରି ଅପରାଜିତ ରହିଥିଲେ । ଆମେରିକା ପକ୍ଷରୁ ରିତ୍ୱିକ ଆପିଡି ୨ଟି ୱିକେଟ ନେଇଥିଲେ । ରିଷଭ ସିମ୍ପି ଏବଂ ଉତ୍କର୍ଷ ଶ୍ରୀବାସ୍ତବ ଜଣକା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
