ଦେଶ ପାଳୁଛି ଗୌରବମୟ ୭୮ତମ ସ୍ଥଳସେନା ଦିବସ

ଭୁବନେଶ୍ଵର: ଆଜି ହେଉଛି ‘ଆର୍ମି ଡେ’ ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ ୭୮ ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଦେଶର ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା । ବା ପଦାତିକ ବାହିନୀ। ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ। ସେ ଯୁଦ୍ଧ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ପରର ଉଦ୍ଧାର କାର୍ଯ୍ୟ ଅଥବା ଜରୁରିକାଳୀନ ପରିସ୍ଥିତି, ସବୁକ୍ଷେତ୍ରରେ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଆଗଭର ଭାରତୀୟ ସେନା। ଦେଶପାଇଁ ବଳିଦାନ ଦେବାକୁ ଭାରତୀୟ ଯବାନମାନେ ସର୍ବଦା ପ୍ରସ୍ତୁତ। ଆତଙ୍କବାଦୀ ମୁକାବିଲା ପାଇଁ ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ଭୟ କରନ୍ତି ନାହିଁ । ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ।

ବ୍ରିଟିଶ ସାମ୍ରାଜ୍ୟ ଅଧିନରେ ଭାରତୀୟ ସେନା ଗଠନ କରାଯାଇଥିଲା । ସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ବ୍ରିଟିଶର ଥିଲେ । ତେବେ ଦେଶ ସ୍ବାଧିନତା ହେବା ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ୧୯୪୯ ମସିହାରେ ଜେନେରାଲ୍ ଫ୍ରାନ୍ସିସ୍ ବୁଚର ଶେଷ ବ୍ରିଟିଶ କମାଣ୍ଡର ରହିଥିଲେ । ତାଙ୍କ ବିୟୋଗ ପରେ ଲେଫ୍ଟନାଣ୍ଟ ଜେନେରାଲ କେ ଏମ କରିୟପ୍ପା ସ୍ବାଧୀନ ଭାରତର ପ୍ରଥମ ଭାରତୀୟ ସାମରିକ ଅଧିକାରୀ ହୋଇଥିଲେ । ଜାନୁଆରୀ ୧୫ ତାରିଖରେ ଏମ କରିୟପ୍ପା ଜେନେରାଲ୍ ଫ୍ରାନ୍ସିସ୍ ବୁଚରଙ୍କ ଠାରୁ ଭାରତୀୟ ସେନାର କମାଣ୍ଡ ନେଇଥିଲେ । ଭାରତୀୟ ସେନା ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ରହିଥିଲା । ଏହି ଦିନ ଅର୍ଥାତ ଜାନୁଆରୀ ୧୫ ତାରିଖରେ ପ୍ରଥମ ଥର ପାଇଁ ଦେଶର ସେନାର ନେତୃତ୍ବ ଜଣେ ଭାରତୀୟଙ୍କ ହାତକୁ ଆସିଥିଲା । ଏହି କାରଣରୁ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସର ନେଇଥିଲେ ।

କେ ଏମ କରିୟପ୍ପା ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ରହିଥିଲେ । ତାଙ୍କ ପୁରା ନାମ କୋଣ୍ଡଡେରା ମଡପ୍ପା କରିୟପ୍ପା ରହିଥିଲା । ସେ ଅନେକ ସଫଳତା ହାସଲ କରିଛନ୍ତି । ଭାରତ ଏବଂ ପାକିସ୍ତାନର ମଧ୍ୟରେ ହୋଇଥିବା ଯୁଦ୍ଧର ନେତୃତ୍ବ ନେଇଥିଲେ । ତେବେ ୧୯୯୩ ମସିହାରେ ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେନା ଦିବସ ଅବସରରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ ।