ନୂଆପଡ଼ାକୁ ନେଇ ଯେପରି କୁହାଗଲା ସେପରି କୁହାଯିବାର ନ ଥିଲା: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ଵର: ଓଡିଶା ରାଜନୀତିରେ ହଟଚମଟ । ସକାଳୁ ସକାଳୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଲାଗିଛିମ ଶକ୍ତ ଝଟକା । ଦଳ ବିରୋଧି କାର୍ଯ୍ୟ ପାଇଁ କଂଗ୍ରେସରୁ ବିଦା ହୋଇଛନ୍ତି ମୋକିମ୍ । ତେବେ ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICCର ମିଳିଲା ଅନୁମୋଦନ । ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ୍ । ଭକ୍ତଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ମୋକିମ୍ । ଯେଉଁଥିପାଇଁ ତାଙ୍କୁ ଦଳରୁ ବିଦା କରାଯାଇଛି । ସେପଟେ ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ ଥିବା କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୯୮୦ ପରଠୁ କଟକରେ କଂଗ୍ରେସ ଜିତି ପାରୁ ନ ଥିଲା, ମୋକିମ ଜିତାଇଛନ୍ତି । ଲଗାତାର ୨ ଥର କଟକରେ କଂଗ୍ରେସ ଜିତିଲାଣି, ଏବେ ତାଙ୍କ ଝିଅ ବିଧାୟିକା । ନୂଆପଡ଼ା ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆବଶ୍ୟକତା ନାହିଁ ମନ୍ତବ୍ୟ ତାଙ୍କୁ ବାଧିଲା । ସେଥିପାଇଁ ଆମେ ସମସ୍ତେ ଦାୟୀ, ତାକୁ ଉପଶମ କରିବାର ଥିଲା । ନୂଆପଡ଼ାକୁ ନେଇ ଯେପରି କୁହାଗଲା ସେପରି କୁହାଯିବାର ନ ଥିଲା ବୋଲି କହିଛନ୍ତି ନିରଞ୍ଜନ । ନିରଞ୍ଜନ ଆହୁରି କହିଛନ୍ତି, ସେ ଯେଉଁ ଚିଠି ଲେଖିଲେ ସେଥିରେ କିଛି ସତ୍ୟ ଥାଇପାରେ । ମାତ୍ର ସେ ଯେପରି ଭାବେ ଗଣମାଧ୍ୟମକୁ ଯାଇ କହିଲେ ତାହା ଠିକ୍‌ ନୁହେଁ । ମୋକିମ ବାବୁଙ୍କ ପରି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ରହିଛି । କଂଗ୍ରେସ ପ୍ରତି ତାଙ୍କର ଦୁର୍ବଳତା ଅଛି, ବୁଝାଇ ଅଣାଯିବା ଦରକାର ବୋଲି କହିଛନ୍ତି ନିରଞ୍ଜନ । ସେହିପରି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି, ତେଣୁ ଏ ବାବଦରେ ଅଧିକ କହିବିନି.. କଟକର ସେ ଜଣେ ମଜବୁତ୍ ନେତା ଥିଲେ, କଟକରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ।

କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଚିଠିକୁ ଗୁରୁତ୍ବର ସହ ନେଇ ଆଲୋଚନା କରିଥିବାରୁ ମିଡିଆକୁ ଧନ୍ୟବାଦ ଜଣାଇଛନ୍ତି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି । ସେ କହିଛନ୍ତି, କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳକୁ ଆଇନା ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ଗ୍ରହଣ କରୁଛି ।ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ ବୋଲି ସେ କହିଛନ୍ତି । ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ମୋକିମ୍ । ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କର୍ମୀ କାହାକୁ ଡରନି । ମୁଁ କାହାକୁ ନ ଡରି ଚିଠି ଲେଖିଥିଲି । ସତ କଥା ଲେଖିଥିଲେ ବୋଲି ପୁଣି ଆଜି ସେହି କଥା ଦୋହରାଇଛନ୍ତି ।କେହି ଖୋଲିକି କହିପାରୁନଥିଲେ, ସେ କଥା ମୁଁ କହିଥିଲି ବୋଲି ସେ କହିଛନ୍ତି । ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲା, କିନ୍ତୁ ଯାହା କହିଛି ସେଥିରେ ଅନୁଶୋଚନା ନାହିଁ ବୋଲି ସେ କହିଛନ୍ତି । ମୋ ଚିଠି ଦ୍ୱାରା cwcକୁ ଏକ ହ୍ୟାଣ୍ଡଲ୍ ମିଳିଗଲା । ସୁଧାର ଆସିବ ବୋଲି ସେ କହିଛନ୍ତି ।  ତାଙ୍କ ଚିଠିକୁ ଗୁରୁତ୍ୱ ଦେଇଥିବାରୁ ସେ ଆନନ୍ଦିତ ବୋଲି ମଧ୍ୟ ମତ ଦେଇଛନ୍ତି । ପରବର୍ତ୍ତୀ ସମୟରେ କଂଗ୍ରେସ ପାଇଁ ଭଲ ହେବ ବୋଲି ସେ କହିଛନ୍ତି । ତେବେ ସେ ରାଜନୀତି ଜାରି ରଖିବେ । ତାଙ୍କର ରାଜନୀତି ଛାଡିବାର ପ୍ରଶ୍ନ ଉଠୁନାହିଁ । ତେବେ ତାଙ୍କ ଝିଅ ସୋଫିଆଙ୍କୁ ସେ ଏଥିରେ ସଂଶ୍ଲିଷ୍ଟ କରୁନାହାନ୍ତି ବୋଲି କହିଛନ୍ତି । ସୋଫିଆ ତାଙ୍କର ନିଜସ୍ୱ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।