ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଠାକୁରଙ୍କ ଦର୍ଶନ ସକାଶେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ଏକ ପବିତ୍ର ପୁଣ୍ୟ ମାସ ହୋଇ ଥିବାରୁ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଆଜି ବରାହ ଓ ବଡ଼ଭାଇ ବଳଭଦ୍ର ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସାଥିରେ ପୂଜା ପାଉଛନ୍ତି ଭଉଣୀ ଦେବୀ ସୁଭଦ୍ରା ଓ ସୁଦର୍ଶନ । ଏହି ଅପୂର୍ବ ଦର୍ଶନ ପାଇଁ ଭକ୍ତ ମାନେ ଆସିଛନ୍ତି। ଭୋର ୪ଟା ରୁ ଠାକୁରଙ୍କ ନୀତିକାନ୍ତି, ପୂଜାର୍ଚ୍ଚନା ଆରମ୍ଭ ହୋଇ ସକାଳ ଆଳତୀ ଷୋଡ଼ଶ ଉପଚାର ପୂଜା ହୋଇଛି।ଏହି ପବିତ୍ର ଦ୍ଵାଦଶୀ ତିଥିରେ ଭକ୍ତ ମାନେ ନଡିଆ, କଦଳୀ ଧୂପ ଦୀପ ଚନ୍ଦନ ତୁଳସୀ ମାଳ, ପଦ୍ମଫୁଲ ହାର ଧରି ମନ୍ଦିରରେ ଠାକୁରଙ୍କ ପୂଜା କରିଛନ୍ତି। ତୁଳସୀ ହାର ଓ ପଦ୍ମଫୁଲର ହାରରେ ଠାକୁରଙ୍କୁ ସଜା ଯାଇଛି। ହରି ନାମ ସଂକୀର୍ତ୍ତନ ହେଉଛି।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।