ଖୋଲିଲା ସୁଭଦ୍ରା ପୋର୍ଟାଲ୍, ମାର୍ଚ୍ଚ ୮ରେ ଏକାଥରେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ

ଭୁବନେଶ୍ଵର: ମାର୍ଚ୍ଚ ୮ରେ ଏକାଥରେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆଜିଠୁ ସୁଭଦ୍ରା ପୋର୍ଟାଲରେ ଆରମ୍ଭ ହୋଇଛି ଆବେଦନ । ମାସେ ଯାଏଁ ଆବେଦନ କରି ହେବ । ଆବଶ୍ୟକ ପଡିଲେ ସମୟ ସୀମା ମଧ୍ୟ ବୃଦ୍ଧି ହୋଇପାରେ । ଦ୍ଵିତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ରେ ଏକା ବେଳକେ ମିଳିବ ୨ଟି କିସ୍ତି। ପୂର୍ବରୁ ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ଥିଲେ ସେମାନେ ମଧ୍ଯ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୂଚନା ଅନୁସାରେ, ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିଛି । ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଏଥର ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । 

ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ। ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ୍‌ ଖୋଲିବ ନାହିଁ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ ।