ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ ଓକିଲ

ନୂଆଦିଲ୍ଲୀ:- ସୁପ୍ରିମକୋର୍ଟରେ ସୋମବାର ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଆଇନଜୀବୀ ଭାରତର ପ୍ରଧାନ ବିଚାରପତି (CJI) ବି.ଆର ଗବଇଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିବା ସହ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ହେଲେ ଜୋତାଟି ବି.ଆର. ଗଭାଇଙ୍କ ଟେବୁଲରେ ମାଡ଼ ହୋଇ ତଳେ ପଡ଼ିଯାଇଥିଲା । କୋର୍ଟ କାର୍ଯ୍ୟ ଚାଲିଥିବାବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଆଇନଜୀବୀ ରାକେଶ କିଶୋରଙ୍କୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରୁ ନିଲମ୍ବନ କରାଯାଇଛି । ଏହି ଅବଧି ମଧ୍ୟରେ ସେ ଓକିଲାତି କରିପାରିବେ ନାହିଁ । ବିସିଆଇ ତାଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଛି ।

ସୂଚନାଯୋଗ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ବି.ଆର ଗଭଇ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଜୋତା ଫିଙ୍ଗିବାକୁ ଉଦ୍ୟମ କରିବା ସହ ଚିତ୍କାର କରି ରାକେଶ କହିଥିଲେ କି, ‘ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ’ । ଆକ୍ରମଣ ଉଦ୍ୟମ ପରେ କୋର୍ଟ କର୍ମଚାରୀମାନେ ତାଙ୍କୁ ପୋଲିସରେ ଜିମା ଦେଇଥିଲେ । ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ଫୁଟ୍‍ ଉଚ୍ଚ ମୁଣ୍ଡ କଟା ମୂର୍ତ୍ତିର ପୁନରୁଦ୍ଧାର ଉପରେ ସିଜେଆଇ ଗଭଇଙ୍କ ମନ୍ତବ୍ୟରେ ଆଇନଜୀବୀ ରାକେଶ ବେଶ ଆଘାତ ପାଇଥିଲେ ।