ଭୁବନେଶ୍ଵର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର ଛତ୍ରପୁରରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ମୋଦି। ସେବା ପକ୍ଷ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପିଏମ୍ଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଏଥିରେ ସାମିଲ୍ ଥିଲେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ।

ବୈଠକରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ସେହିଦିନ ସକାଳ ୧୧ଟାରେ ବ୍ରହ୍ମପୁରରେ ଜାତୀୟସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଜନହିତକର ପ୍ରକଳ୍ପ ଉଦ୍ଘାଟନ କରିବେ। ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମେତ ଏହାକୁ ସୂଚାରୁରୂପେ ସମ୍ପାଦନ କରିବା, ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗିତା ନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପଥ, ଆଗମନ-ବିଦାୟ ବ୍ୟବସ୍ଥା, ସୁରକ୍ଷା କର୍ମୀଙ୍କ ନିୟୋଜନ, ସଭାସ୍ଥଳର ପ୍ରସ୍ତୁତି, ସ୍ୱାସ୍ଥ୍ୟ, ପୁଲିସ, ପାଣି-ବିଦ୍ୟୁତ୍, ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।