ଭୁବନେଶ୍ଵର: ହିନ୍ଦୁ ଧର୍ମର ଏକ ପ୍ରମୁଖ ଉପବାସ ଓ ପର୍ବ ମଧ୍ୟରେ ପୁଅଜିଉନ୍ତିଆ ବ୍ରତ ଅନ୍ୟତମ ଅଟେ | ସାଧାରଣତଃ ମହିଳାମାନେ ନିଜ ପିଲାମାନଙ୍କ ପାଇଁ ଏହି ଉପବାସ ରଖନ୍ତି | ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଉପବାସରେ ମହିଳାମାନେ ଦିନସାରା ନିର୍ଜଠା ଉପବାସ ରହି ନିଜ ପିଲାମାନଙ୍କର ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ପୂଜା କରିଥାନ୍ତି । ଏହି ଉପବାସକୁ ସମ୍ପୂର୍ଣ୍ଣ ୨୪ ଘଣ୍ଟା ପାଇଁ ରଖାଯାଏ ।

ଅପୁତ୍ରିକ ନାରୀ ପୁତ୍ରଲାଭ ନିମନ୍ତେ ଓ ପୁତ୍ରବତୀ ନାରୀ ମାନେ ନିଜ ପୁତ୍ର ମାନଙ୍କର ବା ସନ୍ତାନ ମାନଙ୍କର ଦୀର୍ଘାୟୁ ନିମନ୍ତେ ଏହି ଓଷା କରିଥାନ୍ତି । ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ କିମ୍ବା ଅଷ୍ଟମୀ ତିଥିରେ ଏହି ଓଷା ପାଳନ କରାଯାଏ।ମାଁ ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ଓଷା ପାଳିଥାଆନ୍ତି । ୨୧ ପ୍ରକାରର ଫଳ ଓ ପନି ପରିବା ସହିତ ୧୦୮ ଟି ଅଭଙ୍ଗା ଅରୁଆ ଚାଉଳ ଓ ,୧୦୮ ଟି ଦୁବ ଓ ପୂଜା ଦ୍ରବ୍ୟ ଏହି ଓଷାରେ ଲାଗିଥାଏ । ଗାଆଁ ମାନଙ୍କରେ ସମସ୍ତ ବ୍ରତଧାରି ମାନେ ଏକାଠି ଏହି ଓଷା କରିଥାନ୍ତି । ପୂଜା ପାଇଁ ନାରୀମାନେ ଅଷ୍ଟମୀ ପୂର୍ବ ଦିନ କୌଣସି ଏକ ନଦୀ ବା ପୋଖରୀ ଘାଟକୁ ଯାଇ ବାଲିରେ ଚିଲ ଓ ଶିଆଳୀ ମୂର୍ତ୍ତି ଗଢ଼ି ତାଙ୍କୁ ଦୁଇଖଣ୍ଡ ଅପମାରଙ୍ଗ ଦାନ୍ତକାଠି ସମର୍ପଣ କରିଥାନ୍ତି। ସେହି ମୂର୍ତ୍ତିକୁ ନାଡ଼ଲଗା ଜହ୍ନି ଓ କାକୁଡ଼ି ସହିତ ନାନାପ୍ରକାରର ଫୁଲ ଓ ପତ୍ରଦେଇ ସଜାଇ, ସୂର୍ଯ୍ୟଦେବ ଓ ଗଙ୍ଗାମାତାଙ୍କୁ ଆରାଧନା କରି ଫେରିଆସନ୍ତି।

ତା’ପର ଦିନ ଅର୍ଥାତ୍ ଅଷ୍ଟମୀ ଦିନ, ଏକ ମୁକ୍ତସ୍ଥାନରେ ଗୋଟିଏ ଚଉଖୁଣ୍ଟିଆ ପୂଜା ବେଦୀ କରି, ମଝିରେ କଦଳୀ ଗଛ, ତୁଳସୀ ଗଛ ଓ ଜୁଇ ଗଛ ରଖି, ତାହାକୁ ୧୦୮ ଦୁବ, ୧୦୮ ଅକ୍ଷତ, ୨୧ ଗଣ୍ଡା ଗୁଆ ଓ ୨୧ ପ୍ରକାର ପନିପରିବା (ଲେଉଟିଆ ଶାଗ ବ୍ୟତୀତ), ମୁଗ, ବୁଟ, ମଟରମଞ୍ଜି ଆଦି ଦେଇ ସଜାଇ, ତା’ ପାଖରେ ସୂର୍ଯ୍ୟଦେବଙ୍କ ଚିତ୍ର, ଦୁତିବାହନଙ୍କ ଚିତ୍ର ଏବଂ ଚିଲ ଓ ଶିଆଳୀ ଚିତ୍ର ଲେଖି ବ୍ରତ କଥା ଶୁଣନ୍ତି। ଏକ ନୂଆ ଲୁଗାକୁ ପାହାଡ଼ା କରି ପୂଜା ସ୍ଥାନରୁ ଲମ୍ବାଇ ଦିଆଯାଇଥାଏ। ବ୍ରତକଥା ପଢ଼ା ସରିଲେ ଫଳମୂଳ ଅର୍ପଣ କରି ଦୁତିବାହନ ବନ୍ଦାପନା କରାଯାଇଥାଏ। ପାହାଡ଼ାରେ ଯେଉଁ ପାଦଧୂଳି ପଡ଼ିଥାଏ, ତାକୁ ନେଇ ପିଲାଙ୍କ ମୁଣ୍ଡରେ ଝାଡ଼ି ଦିଅନ୍ତି। ଏହାଦ୍ୱାରା ପିଲାମାନଙ୍କର ଚନ୍ଦ୍ରରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ କରାଯାଏ। ଅଷ୍ଟମୀ ପରଦିନ ସେହି ଏକୋଇଶ ପ୍ରକାରର ପରିବାରେ ଘରେ ଘରେ ଘାଣ୍ଟ ତରକାରୀ ପ୍ରସ୍ତୁତ ହୁଏ। ତାହାକୁ ଦୁତୀୟାଘାଣ୍ଟ କହନ୍ତି। ଧର୍ମ ଓ ସଂସ୍କୃତି ସହିତ କୃଷିକାରୀ ସଭ୍ୟତାର ସୁନ୍ଦର ମିଳନପର୍ବ ହେଉଛି ଏହି ଦୁତିବାହନ ବା ଦୁତୀୟା ଓଷା। ପଶ୍ଚିମ ଓଡ଼ିଶାରେ ଏହା ‘ପୁଅଜୀଉନ୍ତିଆ’ ନାମରେ ପ୍ରସିଦ୍ଧ।