ଦେଶକୁ ମିଳିଲେ ନୂଆ ଉପରାଷ୍ଟ୍ରପତି, ଘୋଷଣା ହେଲା ଫଳାଫଳ

ନୂଆଦିଲ୍ଲୀ: NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସିପି ରାଧାକ୍ରିଷ୍ଣନ । INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ନିର୍ବାଚିତ ହେଲେ ଶ୍ରୀ ରାଧାକ୍ରିଷ୍ଣନ୍ । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ନିର୍ବାଚିତ ହେଲେ ରାଧାକ୍ରିଷ୍ଣନ । ସୁଦର୍ଶନ ରେଡ୍ଡୀଙ୍କୁ ମିଳିଲା ୩୦୦ ପ୍ରଥମ ପସନ୍ଦ ଭୋଟ । ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହାସଚିବ ପିସି ମୋଦି । ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିବା ବେଳେ ଫଳାଫଳ ଘୋଷଣା କରାଯାଇଛି । ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ପରାସ୍ତ ହୋଇଛନ୍ତି ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ସିପି ରାଧାକ୍ରିଷ୍ଣନ ବିପୁଳ ଭୋଟରେ ବିଜୟୀ ହେବା ସହିତ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଉପରାଷ୍ଟ୍ରପତି ନିର୍ବାଚନରେ ହୋଇଛି କ୍ରସ୍‌ ଭୋଟିଂ । ଅର୍ଥାତ ଆଶା ଠାରୁ ଅଧିକ ଭୋଟ ପାଇଛନ୍ତି ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ମୋଟ ୭୬୭ ଭୋଟ ଖଣ୍ଡ ପଡିଥିବା ବେଳେ ୭୫୨ ଖଣ୍ଡ ଭୋଟ ବୈଧ ଭୋଟ ରହିଛି । ୧୫ଟି ଭୋଟ ନାକଚ୍ ହୋଇଯାଇଛି । ତେବେ ବିଜୟ ପାଇଁ ମ୍ୟାଜିକ୍ ନମ୍ବର ଥିଲା ୩୭୭ । ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ମୋଟ ୪୫୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିରୋଧୀ ତଥା ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ମାତ୍ର ୩୦୦ ଖଣ୍ଡ ଭୋଟ । ଅର୍ଥାତ ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସିପି ରାଧାକ୍ରିଷ୍ଣନ ।