(ତ୍ରିଲୋଚନ)ଭୁବନେଶ୍ବର : ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି । ବିଏସଏନଏଲ ବନ୍ଦ ହେବନି । ବିଏସଏନଏଲ ଖୁବଶୀଘ୍ର ବନ୍ଦ ହେବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ଗୁଜବ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ଠାରୁ ଜାତୀୟ ସମେତ ଆଞ୍ଚଳିକ ଗଣମାଧ୍ୟମଗୁଡିକରେ ବିଏସଏନଏଲ କ୍ଷତିରେ ଚାଲୁଛି ଓ ଏହାକୁ ଖୁବଶୀଘ୍ର ସରକାର ବନ୍ଦ କରିପାରନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା। ବିଏସଏନଏଲ ବନ୍ଦ ହେବା ନେଇ ଖବର ପ୍ରସାରିତ ହେବା ପରେ ଏ ନେଇ କମ୍ପାନିର ଓଡ଼ିଶା ଶାଖା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ବିଏସଏନଏଲ କମ୍ପାନି ବନ୍ଦ ଖବର ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଏସଏନଏଲ ଓଡ଼ିଶା ଶାଖା ସିଜିଏମ ସତ୍ୟାନନ୍ଦ ନାୟକ । ବିଏସଏନଏଲ ହେଉଛି କେନ୍ଦ୍ରୀୟ ସରକାରୀ ସଂସ୍ଥା । ତେଣୁ ଏହା ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ । ଲଗାତାର ଭାବେ କମ୍ପାନି ଏହାର ନେଟୱାର୍କକୁ ଲ୍ୟାଣ୍ଡଲାଇନ. ବ୍ରଡବ୍ୟାଣ୍ଡ, ଘର ପର୍ୟ୍ୟନ୍ତ ଫାଇବର କେବୁଲ, ମୋବାଇଲ ସେବା ଦ୍ୱାରା ପରିବର୍ଦ୍ଧିତ କରୁଛି । ଏପରିକି ବଲାଙ୍ଗୀରରେ ବିଏସଏନଏଲ ଗ୍ରାହକ ମାନେ କମ୍ପାନିର ୪ଜି ସେବାକୁ ପ୍ରଂଶସା କରିବା ସହ ଏହା ଅନ୍ୟ ଟେଲିକମ କମ୍ପାନି ଠାରୁ ମଧ୍ୟ ଭଲ ସେବା ଯୋଗାଉଥିବା କହିଛନ୍ତି । ବିଏସଏନଏଲ ସବୁବେଳେ ଲୋକଙ୍କ ସହ ଅଛି ଓ ଆଗକୁ ମଧ୍ୟ ଗ୍ରାହକ ମାନଙ୍କୁ ଭଲ ସେବା ଯୋଗାଇଦେବାକୁ ପ୍ରୟାସ ଚଳାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।ବିଏସଏନଏଲ ବନ୍ଦ ହେବା ନେଇ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ କମ୍ପାନି ଗ୍ରାହକ ମାନଙ୍କ ପାଇଁ ସୂଚନା ଜାରି କରି କହିଛି ଏହା ସମ୍ପୂର୍ଣ୍ଣ ମିଛ ଓ ଏଭଳି ଗୁଜବ ଉପରେ ଗ୍ରାହକମାନେ ଆଦୌ ବିଶ୍ୱାସ ନ କରନ୍ତୁ ।