ପ୍ରବଳ ବର୍ଷାରେ ଫୁଲୁଛି ନଦୀ ନାଳ, ବିପଦ ସଂକେତ ଟପିଲା ବୈତରଣୀ

ଭଦ୍ରକ: ଗତକାଲିଠାରୁ ପ୍ରବଳ ବର୍ଷା ଫଳରେ ଫୁଲୁଛି ନଦୀ ନାଳ । ବିପଦ ସଂକେତ ଟପିଲା ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମି. ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୮.୪୨ ମି. ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ନେଇ ସୂଚନା ମିଳିଛି । ତେବେ ଏହିଭଳି ଭାବେ ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ପୁଣି ଥରେ ବନ୍ୟା ସ୍ଥିତି ଉପୁଜିବା ନେଇ ଆଶଙ୍କା ରହିଛି । ଅନ୍ୟପଟେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ବାରା ପାଟଣା ବ୍ଲକ ଚୀନା ମାଳି ପୋଷି ପଞ୍ଚାୟତ ନୂଆପଡ଼ାରୁ ଢେଙ୍କିକୋଟ, କପାସପଡ଼ା ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ଘଟଗାଁ, ଢେଙ୍କିକୋଟ ପାଶର୍‌ବରୁ ପର୍ଯ୍ୟଟନ ଭୀମ କୁଣ୍ଡ ସୀତା ନଦୀ ଉପରେ ନବ ନିର୍ମିତ ପୋଲର ଆପ୍ରୋଚ ରୋଡ୍‌ କାମ ସରି ନାହିଁ । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳରେ ବ୍ୟାହତ ହୋଇଛି। ପୁରୁଣା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି । ସୂଚନାଯୋଗ୍ୟ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦିନକ ପରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା । ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।