ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍ । ଆଜି (ରବିବାର) ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ସକାଳ ୧୦ ଟାରେ ପ୍ରଥମେ ପରମ୍ପରା ମୁତାବକ ପୂଜାର୍ଚ୍ଚନା ପରେ ୬ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ତେବେ ଗେଟ୍ ଖୋଲାଯିବା ପୂର୍ବରୁ ତଳିଆ ଲୋକଙ୍କୁ ସତର୍କ କରାଯିବା ସହ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେପଟେ ଉପରମୁଣ୍ଡରେ ବର୍ଷା ଲାଗି ରହିଛି। ଛତିଶଗଡ଼ରେ କ୍ରମାଗତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଉପରେ ଥିବା କଲ୍ମା ଆନିକଟର ସମସ୍ତ ଫାଟକ ଖୋଲି ଦିଆଯାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଦି ପାଇବାରେ ଲାଗିଛି । ତେବେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୩୧ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୪ ହଜାର ୬୦୬ କ୍ୟୁସେକ ଜଳ ପ୍ରବେଶ କରୁଛି ।
ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ହୀରାକୁଦ ନଦୀବନ୍ଧର ରୁଲ୍ ଅଫ କର୍ଭ-୧୯୮୮ ଅନୁସାରେ ଜୁଲାଇ ପ୍ରଥମ ସପ୍ତାହରେ ନଦୀବନ୍ଧର ଜଳସ୍ତର ୬୦୦ ଫୁଟ ତଳକୁ ରଖିବା ଆବଶ୍ୟକ। ତେବେ ପରିବର୍ତ୍ତିତ ପରିସ୍ଥିତିରେ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଇଥିବାରୁ ୬୦୫ଫୁଟ ଜଳସ୍ତର ବଜାୟ ରଖାଯିବ ବୋଲି ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ କ୍ରମାଗତ ଭାବେ ଜଳସ୍ତର ବଢ଼ୁଥିବାରୁ ତତ୍କାଳୀନ ସ୍ଥିତିକୁ ଦେଖି ଫାଟକ ଖୋଲାଯିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।