ପୁରୀ: ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

ସ୍ନେହମୟୀ ମାଉସୀ ମା ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା । ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା । ରାତି ପାହିଲେ ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ ପୋଡପିଠା ଭୋଗ । ଏଥିପାଇଁ ସ୍ନେହମୟୀ ମାଉସୀ ଅତି ଶ୍ରଦ୍ଧାରେ ପ୍ରସ୍ତୁତ କରିଛନ୍ତି ପୋଡ ପିଠା । ଜଗା, ବଳିଆ ଓ ଭଉଣୀ ସୁଭଦ୍ରାଙ୍କ ଠାରେ ଏହି ପୋଡପିଠା ଲାଗି ହେବ । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡ ପିଠା ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମାଉସୀ ମା’ ମନ୍ଦିରର ପୂଜକ ।

ଏହି ପୋଡ ପିଠା ପ୍ରସ୍ତୁତି ପ୍ରଣାଳୀ ସ୍ଵତନ୍ତ୍ର । ପ୍ରଥମେ ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ ଏବଂ ଘିଅ ମିଶାଯାଇ ଏଥିପାଇଁ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଚୁଲିରେ ପାଣି ହାଣ୍ଡି ବସାଯାଇ ଏହାକୁ ଗରମ କରାଯାଏ । ହାଣ୍ଡି ଉପରେ ଜାଲି ରଖାଯାଏ । ଜାଲି ଉପରେ ପତ୍ର ପକାଯାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ରଖାଯାଏ । ଗରମ ପାଣିରୁ ନିର୍ଗତ ବାମ୍ଫରେ ଏହି ମିଶ୍ରଣ ସିଝିଥାଏ । ଏହାପରେ ତାହାକୁ ଥଣ୍ଡା କରାଯାଏ । ପରେ ଏହାକୁ ସାଇଜ୍ କରି କଟାଯାଇ ସୁଦ୍ଧ ଘିଅରେ ଛଣା ଯାଇଥାଏ । ବାହୁଡା ଦିନ ମାଉସୀ ମା’ ମନ୍ଦିର ନିକଟରେ ରଥ ଅଟକିବା ସମୟରେ ବିଶ୍ବନିୟନ୍ତାଙ୍କ ପାଖରେ ପୋଡ ପିଠା ଭୋଗ କରାଯାଇଥାଏ ।