ଭାରତର ସୀମା ଏବଂ ଉପକୂଳ ନିରୀକ୍ଷଣକୁ ବୃଦ୍ଧି କରିବ EOS-୦୯ ଉପଗ୍ରହ

ହାଇଦ୍ରାବାଦ-: ଭାରତର ରଣନୈତିକ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) । ଆସନ୍ତା ରବିବାର ୧୮ ତାରିଖ ସକାଳ ୬.୫୯ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ PSLV-C61 ସାହାଯ୍ୟରେ ନିରୀକ୍ଷଣ ଉପଗ୍ରହକୁ ଉତକ୍ଷେପଣ କରିବ। ଏହି ରକେଟ୍ ଅତ୍ୟାଧୁନିକ ରାଡାର ଇମେଜିଂ ଉପଗ୍ରହ EOS-09 ବା RISAT-1B ଉତକ୍ଷେପଣ କରିବ।

ନାଗରିକ ଏବଂ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ମିଶନ ଯଥେଷ୍ଟ ଗୁରୁତ୍ବ ବହନ କରେ । ନିକଟରେ ଭାରତ ଓ ପଡ଼ୋଶୀ ଦେଶ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ରାଷ୍ଟ୍ର ସମେତ ସମସ୍ତ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଦେଶ ଏହାର ମହାକାଶ-ଭିତ୍ତିକ ନିରୀକ୍ଷଣ କ୍ଷମତାକୁ ଦ୍ରୁତ ଗତିରେ ବିସ୍ତାର କରୁଛି । ଏହି ସର୍ଭିଲେନ୍ସ ସାଟେଲାଇଟ୍‌ ବା ନିରୀକ୍ଷଣ ଉପଗ୍ରହ ଯେକୌଣସି ପାଣିପାଗରେ ମଧ୍ୟ ନିଜ କାମ କରିବ । ସାମାନ୍ୟ ଗତିବିଧିକୁ ଏହି ସାଟେଲାଇଟ୍‌ ଚିହ୍ନଟ କରିବାକୁ ସକ୍ଷମ । ଏହା ସି-ବ୍ୟାଣ୍ଡ ସିନ୍ଥେଟିକ୍ ଆପର୍ଚର ରାଡାର (SAR) ସହିତ ସଜ୍ଜିତ, ଯାହା ଦିନରାତି, ସମସ୍ତ ପାଗ ପରିସ୍ଥିତିରେ ଉଚ୍ଚ ରିଜୋଲ୍ୟୁସନ୍ ଚିତ୍ର ନେଇପାରିବ। ଏହି ପ୍ରକ୍ଷେପଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ ​​ଏବଂ ଉନ୍ନତ କରିବା। ଏହା ବ୍ୟତୀତ, ଏହା କୃଷି, ଜଙ୍ଗଲ ତଦାରଖ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଯୋଜନା ଏବଂ ଜାତୀୟ ସୁରକ୍ଷା ଭଳି କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ। ଏହା ଦେଶ ଉପରେ ଆସୁଥିବା ଯେକୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ବିପଦକୁ ଚିହ୍ନଟ କରିବାରେ ମଧ୍ୟ ସହାୟକ ହେବ। ଏହା LAC ଏବଂ LOC ସୀମାରେ ନଜର ବୃଦ୍ଧି କରିବ।