ଗାନ୍ଧୀ ପରିବାରକୁ ଅସମ୍ମାନିତ କରିବା ଉଦ୍ଦେଶ୍ୟରେ ଆକ୍ରୋଶମୂଳକ ମନୋଭାବ ରଖି ଚାର୍ଜସିଟ୍‌ ଦାଖଲ କରାଯାଇଛି

ଭୁବନେଶ୍ୱର-: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତ ସରକାର ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି। ମାମଲାରେ କୌଣସି ସତ୍ୟତା ନାହିଁ; କିନ୍ତୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଅସମ୍ମାନିତ କରିବା ଉଦ୍ଦେଶ୍ୟରେ ଆକ୍ରୋଶମୂଳକ ମନୋଭାବ ରଖି ଏଭଳି ଚାର୍ଜସିଟ୍‌ ଦାଖଲ କରାଯାଇଥିବା କଂଗ୍ରେସ କହିଛି। ଏହାକୁ ବିରୋଧ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ବୁଧବାର ଆଜି ୧୧ଟାରେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ସେ ସମସ୍ତ ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ, ସାଂସଦ ଏବଂ ସ୍ଥାନୀୟ ନେତାମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ନିଜ ଜିଲ୍ଲାରେ ଯେକୌଣସି କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ଯେପରିକି ପୋଷ୍ଟ ଅଫିସ କିମ୍ବା ଆଇଟି ଅଫିସ କିମ୍ବା ଆୟକର ଅଫିସ ବାହାରେ ପ୍ରତିବାଦ କରନ୍ତୁ ।

ନ୍ୟାସନାଲ ହେରାଲ୍ଡ ମାମଲା ସମ୍ବନ୍ଧିତ ଚାର୍ଜସିଟରେ ସାମ ପିଟ୍ରୋଦାଙ୍କ ସହ ସୋନିଆ ଓ ରାହୁଲଙ୍କ ନାଁ ରହିଛି। ଆଜି ଏନେଇ ରାଉଜ ଏଭିନ୍ୟୁକୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ଏହି ତିନିଜଣ ବରିଷ୍ଠ ନେତାଙ୍କ ସହ ଆଉ କିଛି ଜଣଙ୍କ ନାଁ ରହିଛି। ଏପ୍ରିଲ ୨୫ରେ କୋର୍ଟ ଚାର୍ଜସିଟ ଉପରେ ଶୁଣାଣି କରିବେ। ପ୍ରଥମଥର ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଏମାନଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି। ନିକଟରେ ଏଜେଲର ୮ଶହ କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିବା ପରେ ଇଡିର ଏହା ବଡ କାର୍ଯ୍ୟାନୁଷ୍ଠାନ। ତେବେ ଏହି ଚାର୍ଜସିଟ ପରେ ରାଜନୈତିକ ବୟାନ ବାଜି ତେଜିଛି। ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ।