ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି କଟକରେ ପହଞ୍ଚି ବାଲିଯାତ୍ରା ମହୋତ୍ସବକୁ ଆନୁଷ୍ଠାନିକ ଉଦ୍ଘାଟନ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ପର୍କରେ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୨୪ ତାରିଖ ଦିନ ଅପରାହ୍ନ ୫ଟାରୁ ରାତି ୮ଟା ୧୫ ପର୍ଯ୍ୟନ୍ତ ରାଷ୍ଟ୍ରପତି କଟକରେ ରହିବାର କାର୍ଯ୍ୟସୂଚୀ ରହିଛି ।

ସୂଚନାଯୋଗ୍ୟ, ମହାନଦୀ କୂଳରେ ଆୟୋଜିତ ଏହି ଐତିହାସିକ ବାଲିଯାତ୍ରା ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ, ବାଣିଜ୍ୟିକ ପରମ୍ପରା ଓ ଗୌରବମୟ ସଂସ୍କୃତିର ପ୍ରତୀକ। ପ୍ରାଚୀନ କାଳରେ ଓଡ଼ିଆ ସାଧବମାନେ ବୋଇତରେ ସୁଦୂର ଇଣ୍ଡୋନେସିଆ, ଜାଭା, ସୁମାତ୍ରା ଓ ବାଲି ଆଦି ଦେଶକୁ ବାଣିଜ୍ୟ ପାଇଁ ଯାତ୍ରା କରୁଥିଲେ। ସେହି ଗୌରବମୟ ଐତିହ୍ୟକୁ ମନେ ପକାଇ ପ୍ରତିବର୍ଷ କଟକରେ ବାଲିଯାତ୍ରା ମହାଆଡ଼ମ୍ବରରେ ଆୟୋଜିତ ହୋଇଥାଏ।

ସୂଚନାଯୋଗ୍ୟ କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହେବ। ଏହି ଯାତ୍ରା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟ ବର୍ଷ ଭଳି ଏଥରର ବାଲିଯାତ୍ରାକୁ ଭବ୍ୟ କରିବା ପାଇଁ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରିଦିଆଯାଇଛି। ଏଥର ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରାଯିବ। ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ବ୍ୟବସ୍ଥା ବଢ଼ାଯିବ। ଭିଡ଼ ନିୟନ୍ତ୍ରଣ ସହ ଯାନବାହନ ପାର୍କିଂକୁ ନେଇ ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କରାଯାଉଛି।