ଭୁବନେଶ୍ୱର: ଦିନରେ ଖରା ରାତିକୁ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଏଭଳି ପରିସ୍ଥିତି । କାଳବୈଶାଖୀ ପ୍ରଭାବରେ ଜାରି ରହିଛି ବର୍ଷା । ତେଣୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏହା ସହିତ ୩୦ରୁ ୪୦କିମି ବେଗରେ ପବନ ବି ବହିବ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।୧୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ । ଶନିବାର ସକାଳରୁ ସନ୍ଧ୍ୟା ଭିତରେ ବାରିପଦାରେ ୪୦ମିମି ବର୍ଷା ହୋଇଛି। ଖୋର୍ଦ୍ଧା, ନୟାଗଡ଼, ଦାରିଙ୍ଗିବାଡ଼ି ଓ ଅନୁଗୁଳରେ ମଧ୍ୟ ବର୍ଷା ହୋଇଛି ।
ବର୍ଷାର ପ୍ରଭାବରେ ସାରା ରାଜ୍ୟରେ ଦିନର ତାପମାତ୍ରା ୨-୩ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି ।