ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ହିଟୱେଭ । ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ଉପର ମୁହାଁ ରହିଛି। ତେବେ ଏହାରି ମଧ୍ୟରେ ତାତିରୁ ତ୍ରାହି ମିଳିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଧୂଳିଝଡ ହେବାର ଆଶଙ୍କା ରହିଥିବା ବେଳେ ଘଣ୍ଟା ପ୍ରତି ୫୦ରୁ 6୦ କିମି ବେଗରେ ପବନ ବହିବ । ବିଶେଷ କରି କେନ୍ଦୁଝରଗଡରେ ଏହି ପରିସ୍ଥିତି ଦେଖିବାକୁ ମିଳିବ ।
ଅନ୍ୟପକ୍ଷେ ମାଲକାନଗିରି , ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ , କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର , ଭଦ୍ରକ ଓ ଢେଙ୍କାନଳରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଉପରୋକ୍ତ ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଏପ୍ରିଲ ୫ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।