କୋଲକାତା: ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ ଘେରାଉ ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ଏହି ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନ କରୁଥିବା ଛାତ୍ରଙ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ସହ ପାଣି ମାଡ କରାଯାଇଛି। ଏହା ସତ୍ୱେ ଆନ୍ଦୋଳନକାରୀ ମାନେ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଆଡକୁ ଅଗ୍ରସର ହେଉଥିବାରୁ ଲାଠି ଚାର୍ଜ କରିଛି ପୁଲିସ। ମମତାଙ୍କୁ ସୁରକ୍ଷା ଦେବାକୁ ସଚିବାଳୟ ମାର୍ଗରେ ୬ହଜାର ଯବାନ ମୁତୟନ ହେବା ସହ ଶହ ଶହ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅଭୟାଙ୍କୁ ନ୍ୟାୟ ଓ ମମତାଙ୍କ ଇସ୍ତଫା ଦାବି କରି କଲକାତାରେ ବଡ ବିକ୍ଷୋଭ କରୁଛନ୍ତି ଛାତ୍ର ସଂଗଠନ। କିନ୍ତୁ ଏହି ମାମାଲାରେ ଆଜି ୪ ଜଣ ଛାତ୍ରଙ୍କୁ ଧରାଯାଇ ହେପାଜତରେ ନିଆଯାଇଛି। ଛାତ୍ରମାନଙ୍କୁ ରୋକିବା ପାଇଁ କୋଲକାତା ପୁଲିସ୍ ଅନେକ ରାସ୍ତା ବନ୍ଦ କରି ଦେଇଛି। ଡ୍ରୋନ୍ ସହାଯ୍ୟରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ପୁଲିସ୍ ଦ୍ବାରା ଯେଉଁ ବାରିକେଡ୍ କରାଯାଇଛି ତାହାକୁ ବିକ୍ଷୋଭବାକରୀ ଛାତ୍ରମାନେ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି।