ଅଗଷ୍ଟ ମାସରେ ୟୁକ୍ରେନ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ପରେ ମୋଦୀଙ୍କର ଏହା ହେବ ପ୍ରଥମ ଗସ୍ତ। ଏହି ଅବସରରେ ସେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଜୁନରେ ଇଟାଲୀରେ ଅନୁଷ୍ଠିତ ଏ୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। କିନ୍ତୁ ଯୁଦ୍ଧ ପରଠାରୁ ଜେଲେନସ୍କି ଭାରତର ସହାୟତା ଲୋଡ଼ି ଆସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ, ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ।

ମୋଦୀ ନିକଟରେ ରୁଷ ଗସ୍ତ କରିଥିଲେ । ସେତେବେଳେ ଉଭୟ ଦେଶ ଆଣବିକ ଶକ୍ତି ଏବଂ ଜାହାଜ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଥିଲେ। ରୁଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଅତୁଳନୀୟ ସେବା ପାଇଁ ପୁଟିନଙ୍କ ଦ୍ୱାରା ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ୟୁ ପ୍ରେରିତ ପୁରସ୍କାର ପ୍ରଦାନ କରାଯାଇଥିଲା ।
ତେବେ ମୋଦିଙ୍କ ଏହି ଗସ୍ତକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଖପ୍ପା ହୋଇଯାଇଥିଲେ। ତେଣୁ ସମ୍ପର୍କକୁ ସନ୍ତୁଳିତ ରଖିବା ଲାଗି ମୋଦୀ ୟୁକ୍ରେନ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି।