ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨ ଦିନରେ ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହାସହ ଜଡିତ ସଂପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳିରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି, ଆସନ୍ତା ଦୁଇ ଦିନରେ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଗୋଟିଏ ଲଘୁଚାପ ସକ୍ରିୟ ରହିଥିବାବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ, ଏହାର ପ୍ରଭାବରେ ଆସନ୍ତା ୧୯ରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୨୦ ତାରିଖରେ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ପାରେ। ଉପକୂଳ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।