ବାହୁଡା ଯାତ୍ରାରେ ବାହୁଡି ବଡ ଦେଉଳକୁ ଫେରୁଛନ୍ତି ବଡ ଠାକୁର

ପୁରୀ: ଶରଧାବାଲିରେ ଗଡିଲା ରଥ । ମାଉସୀ ମାଙ୍କ ଠାରୁ ବିଦାୟ ନେଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ବିଶ୍ୱ ନିୟନ୍ତା । ବାହୁଡା ଯାତ୍ରାରେ ବାହୁଡି ପୁଣି ବଡ ଦେଉଳକୁ ଫେରୁ ଛନ୍ତି ବଡ ଠାକୁର । ଏହି ବାହୁଡା ଯାତ୍ରା ପାଇଁ ଲୋକାରଣ୍ୟ ହୋଇଯାଇଛି ବଡଦାଣ୍ଡ । ହରିବୋଳ, ହୁଳହୁଳି, ଘଣ୍ଟଘଣ୍ଟିର ସ୍ବରରେ ବଡ଼ଦାଣ୍ଡ ଉଛୁଳିପଡୁଛି। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ସୁରକ୍ଷା ବଳୟ ଭିତର ଭକ୍ତମାନେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥକୁ ଆଗକୁ ଆଗକୁ ଟାଣି ନେଇଥିଲେ । ରଥ ଯାଇ ମାଉସୀ ମାଆ ମନ୍ଦିର ପାଖରେ ଅଟକିଛି ।
ପଛରେ ଦେବୀ ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଟାଣି ଟାଣି ଆଣୁଛନ୍ତି । ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ମାଉସୀ ମାଆ ମନ୍ଦିର ପାଖରେ ପହଞ୍ଚି । ଏହାପରେ ମହାପ୍ରଭୁଙ୍କ ରଥ ଆସି ମାଉସୀ ଘର ମନ୍ଦିର ଆଗରେ ଲାଗିବ । ତିନି ଠାକୁର ଏଠାରେ ଅଟକିବାର କାରଣ ରହିଛି । ଏଠାରେ ତିନି ଦିଆଁ ମାଉସୀଙ୍କ ହାତ ତିଆରି ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ।
ଏହା ପୂର୍ବରୁ ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରଥ ଉପରେ ବିରାଜିଥିଲେ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ବିଜେ କରିଥିଲେ ଶ୍ରୀସୁଦର୍ଶନ। ସେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜିଥିଲେ। ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଝୁଲି ଝୁଲି ତାଳଧ୍ୱଜ ରଥକୁ ଆସିଥିଲେ ବଡ଼ ଠାକୁର। ଏହାପରେ ମା ସୁଭଦ୍ରାଙ୍କ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ। ଶେଷରେ ପହଣ୍ଡିରେ ଆସି ଶ୍ରୀଜଗନ୍ନାଥ ନିଜର ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ।