ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁ ଥିଲେ ମଧ୍ୟ ଏଯାଏଁ ହୋଇନି ବର୍ଷା। ଏହା ମଧ୍ୟରେ ପ୍ରଚଣ୍ଡ ତାତି ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି। ତାତିର ମୁକାବିଲା ନେଇ ପଦକ୍ଷେପ ନେବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡା ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଛି । ଏଥିସହ ପ୍ରଚୁର ପାଣି, ଓଆରଏସ, ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗର୍ଭବତୀ ଓ ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ମୁତାବକ, ଦୁଇ ଦିନ ତଳୁ ଓଡ଼ିଶା ଛୁଇଁଛି ମୌସୁମୀ । ହେଲେ ପାଗ ଅନୁକୁଳ ନଥିବାରୁ ରାଜ୍ୟରେ ସକ୍ରିୟ ହୋଇପାରୁନି ମୌସୁମୀ ବାୟୁ । ଫଳରେ ରାଜ୍ୟରେ ଏପର୍ଯ୍ୟନ୍ତ ଅଗ୍ରସର ହୋଇପାରୁନାହିଁ ମୌସୁମୀ ବାୟୁ । ଏପରିକି ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇନପାରେ ମୌସୁମୀ । ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଆଗାମୀ ୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।